N Aa

Nayanapur Express

Nayanapur Express
Surendra Mohanty

ଯୁବମାନସର ପ୍ରତିକ୍ରିୟା ଗଳ୍ପଟିର ପରିଣତିକୁ କରିଛି ଅଶ୍ରୁସଜଳ...

Krushnachuda

Krushnachuda
Surendra Mohanty

ସୁରେନ୍ଦ୍ର ମହାନ୍ତି ଓଡିଆ କଥା ସାହିତ୍ୟର ସେଇ...

Pita O Putra

Pita O Putra
Surendra Mohanty

ଓଡିଆ ସାହିତ୍ୟ ଆକାଶର ଅମଳିନ ଜ୍ୟୋତିଷ୍କ ପଦ୍ମଶ୍ରୀ...

Shreekrushnanka Sesha Hasa

Shreekrushnanka Sesha Hasa
Surendra Mohanty

୧୯୨୨ ମସିହାରେ ଜନ୍ମିତ ଗାଳ୍ପିକ ସ୍ଵର୍ଗତ ସୁରେନ୍ଦ୍ର...

O! Kalkata!!

O! Kalkata!!
Surendra Mohanty

୧୯୨୨ ମସିହାରେ ଜନ୍ମିତ ଗାଳ୍ପିକ ସ୍ଵର୍ଗତ ସୁରେନ୍ଦ୍ର...

Sariputta

Sariputta
Surendra Mohanty

ଜୀବନବାଦୀ ସୁରେନ୍ଦ୍ର ଜୀବନ-ବିରୋଧୀଙ୍କ ପ୍ରତି ସ୍ୱାଭାବିକ ଭାବରେ...

Basi Mada

Basi Mada
Surendra Mohanty

ମୃତ୍ୟୁ ଚିରନ୍ତନ ସତ୍ୟ; ସେ କାନଗୋଇ ପରି...

Madhumatta ra Ratri

Madhumatta ra Ratri
Surendra Mohanty

ଗାଳ୍ପିକ ସୁରେନ୍ଦ୍ର ରୂପ ଓ ସୌନ୍ଦର୍ଯ୍ୟ ମଧ୍ୟଦେଇ...

Pataka Uttalona

Pataka Uttalona
Surendra Mohanty

୧୯୪୭ ମସିହା ଅଗଷ୍ଟ ୧୪ । ସମୟ...

Khristabda 2066

Khristabda 2066
Surendra Mohanty

କ’ଣ ହୋଇପାରେ ଖ୍ରୀ.ଅ.୨୦୬୬ ସମ୍ଭାବିତ ପୃଥିବୀ ।...

Surjyastara Sahanai

Surjyastara Sahanai
Surendra Mohanty

କିତିନି ହୈ ବଦନସୀବ ଜାଫର୍ ଦଫନ୍ କେ...

Sabuja Patra O Dhusara Golapa

Sabuja Patra O Dhusara Golapa
Surendra Mohanty

ସବୁଜପତ୍ର ସହିତ ଧୂସର ଗୋଲାପ ଏବଂ ରୋମାଣ୍ଟିକ୍...

Mahanagari ra Ratri

Mahanagari ra Ratri
Surendra Mohanty

ମହାନଗରୀର ଚାକଚକ୍ୟ ଅନ୍ତରାଳରେ ଅନ୍ଧକାରର ମହାକାରୁଣ୍ୟଟିଏ ଯେପରି...

Mansa ra Konarka

Mansa ra Konarka
Surendra Mohanty

ଏକ ଭୟଙ୍କର ଯୁଗ-ସଂକ୍ରାନ୍ତିର କଳାକୋଣାର୍କ ‘ମାଂସର କୋଣାର୍କ’...

Adinara Atithi

Adinara Atithi
Surendra Mohanty

ସାମନ୍ତବାଦର ବାହ୍ୟଖୋଳପା ଅନ୍ତରାଳରେ ନିଃସଂଗତାର କରୁଣ ଆଳାପ...

Pushyabhishek

Pushyabhishek
Surendra Mohanty

ଏକ କ୍ଷୟିଷ୍ଣୁ ସାମନ୍ତବାଦର କାରୁଣ୍ୟ ଇତିହାସ ଭିତରେ...

Pagala Garada ra Kahani

Pagala Garada ra Kahani
Surendra Mohanty

ସ୍ଥୁଳ ଚେତନା ଉର୍ଦ୍ଧ୍ୱରେ ରହିଛି ଏକ ସୂକ୍ଷ୍ମ...

Aakasha Tathapi Sunila

Aakasha Tathapi Sunila
Surendra Mohanty

ଏକ ଭାବପ୍ରବଣତା, କିଛି ବ୍ୟକ୍ତି ସ୍ୱାର୍ଥ, ଅନେକ...


21-Jun-1922 / 21-Dec-1990
Surendra Mohanty

ଓଡ଼ିଆ ଗଦ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ କଟକ ଜିଲ୍ଲାର ପୁରୁଷୋତ୍ତମପୁରରେ ୨୧ ଜୁନ୍ ୧୯୨୨ ମସିହାରେ । ତାଙ୍କ ପ୍ରତିଭା କୌଣସି ଏକ ନିର୍ଦ୍ଦିଷ୍ଟ ଦିଗରେ ସୀମାବଦ୍ଧ ନ ଥିଲା । ସାହିତ୍ୟ, ରାଜନୀତି, ସମାଜସେବା, ସାମ୍ବାଦିକତା ଆଦି ବହୁଦିଗରେ ସେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ କରିଛନ୍ତି ସମୃଦ୍ଧ । ନାଟକ, ଉପନ୍ୟାସ, ଗଳ୍ପ, କବିତା, ସାହିତ୍ୟସମାଲୋଚନା, ପ୍ରବନ୍ଧ, ଜୀବନୀ, ଆତ୍ମଜୀବନୀ, ଭ୍ରମଣସାହିତ୍ୟ, ସ୍ତମ୍ଭ, ଫିଚର ଆଦି ବିଭିନ୍ନ ବିଭାଗରେ ସେ ନିଜର ସାରସ୍ୱତ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆରେ ରଚିତ ତାଙ୍କ ସାରସ୍ୱତ କୀର୍ତ୍ତି ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟରତ୍ନ ।

ପୃଥ୍ୱୀବଲ୍ଲଭ ଓ ବାପୁ ନାଟକ; କଲେଜ ବୟ, ବଧୂ ଓ ପ୍ରିୟା, ସହସ୍ର ଶଯ୍ୟାର ନାୟିକା, ଅନ୍ଧଦିଗନ୍ତ, ନୀଳଶୈଳ, ନୀଳାଦ୍ରି ବିଜୟ, ଶତାବ୍ଦୀର ସୂର୍ଯ୍ୟ, ହଂସଗୀତି, କୁଳବୃଦ୍ଧ, ଅଚଳାୟତନ, କାଳାନ୍ତର, ନେତିନେତି, କୃଷ୍ଣାବେଣୀରେ ସଂନ୍ଧ୍ୟା, ଆଜୀବକର ଅଟ୍ଟହାସ, ଫଟାମାଟି ଆଦି ଉପନ୍ୟାସ; ମହାନଗରୀର ରାତ୍ର୍ରି, କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ଶେଷ କବିତା, ସବୁଜ ପତ୍ର ଓ ଧୂସର ଗୋଲାପ, ମରାଳର ମୃତ୍ୟୁ, ଦୁଇସୀମାନ୍ତ, ମହାନିର୍ବାଣ, ଓ! କାଲକାଟା, କବି ଓ ନର୍ତ୍ତକୀ, ମାଂସର କୋଣାର୍କ, ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ, ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ, ଶ୍ରେଷ୍ଠ ଗଳ୍ପ ଆଦି ଗଳ୍ପ ସଂକଳନ; ଫକୀରମୋହନ, ଫକୀରମୋହନ ସମୀକ୍ଷା, ଓଡ଼ିଆ ସାହିତ୍ୟର ଆଦିପର୍ବ, ଓଡ଼ିଆ ସାହିତ୍ୟ ମଧ୍ୟପର୍ବ ଓ ଉତ୍ତର ପର୍ବ, ଓଡ଼ିଆ ସାହିତ୍ୟର କ୍ରମବିକାଶ ଆଦି ଆଲୋଚନାଗ୍ରନ୍ଥ; ପେକିଂ ଡାଏରୀ ପରି ଭ୍ରମଣକାହାଣୀ; ସୁରେନ୍ଦ୍ର ସଂଚୟନ  ଓ ସୁରେନ୍ଦ୍ର ବିଚିତ୍ରା କଥା ସଂକଳନ ଏବଂ ଲେଖାବଳୀ; ଆମ୍ବେଦକର, ମଧୁସୂଦନ ଦାସ, ଦୀନକୃଷ୍ଣ ଦାସ ଉଭୟ ଇଂରାଜୀ ଓ ଓଡ଼ିଆ ଜୀବନୀ; ଉତ୍କଳ ଯୁଗେଯୁଗେ, ସାହିତ୍ୟ ଓ ସମାଜ, ଲର୍ଡ ଜଗନ୍ନାଥ (ଇଂରାଜୀ) ଆଦି ପ୍ରବନ୍ଧ ଗ୍ରନ୍ଥ; ‘ଶେଷ ସ୍ତମ୍ଭ’ ସ୍ତମ୍ଭରଚନା; ପଥ ଓ ପୃଥିବୀ ଆତ୍ମଜୀବନୀ; ଅନ୍ୟ ଦୃଷ୍ଟିରେ, ନରୋତ୍ତମ ଚକଡ଼ା ଆଦି ଫିଚର ତାଙ୍କ ବହୁମୁଖୀ ପ୍ରତିଭାର ସାରସ୍ୱତ ନିଦର୍ଶନ ।

ସୁରେନ୍ଦ୍ର ମହାନ୍ତି ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଧାରା ପ୍ରବର୍ତ୍ତକ (Trend Setter) । ଅଭିଜାତ ଭାଷା ଏବଂ ଗଦ୍ୟଶୈଳୀର ବିବିଧତା ତାଙ୍କ ରଚନାର ବିଶେଷତ୍ୱକୁ ପ୍ରତିପାଦନ କରିଥାଏ । ଜଣେ ଜୀବନବାଦୀ ଶିଳ୍ପୀ ଭାବରେ ସମସ୍ତ ପ୍ରତିକୂଳତା ସତ୍ତ୍ୱେ ଜୀବନର ଅସାରତା, ଏଷ୍ଟାବ୍ଲିଶମେଣ୍ଟ ବିରୋଧୀ ସ୍ୱର ଅନାୟାସେ ପରିଲକ୍ଷିତ ତାଙ୍କ ଗଳ୍ପସୃଷ୍ଟି ମଧ୍ୟରେ । ଅଶାନ୍ତି ଓ ଅତୃପ୍ତି ମଧ୍ୟରେ ଜୀବନ ଖୋଜୁଥିବା ମଣିଷ, ସଂଶୟ ଓ ସନ୍ଦେହ ମଧ୍ୟରେ ଅଣନିଃଶ୍ୱାସୀ ଆଧୁନିକଜୀବନ, ଅସହାୟ ଯୁବସମାଜ, ଆତ୍ମପ୍ରତ୍ୟୟହୀନ ସାମ୍ପ୍ରତିକ ସମୟଖଣ୍ଡ, ସମାଜ ପ୍ରତି ବୈପ୍ଲବିକ ଆହ୍ୱାନ, ପାରମ୍ପରିକ ମୂଲ୍ୟବୋଧ ପ୍ରତି ବିତୃଷ୍ଣା, ଭାଙ୍ଗି ପଡ଼ୁଥିବା ସାମାଜିକ ବ୍ୟବସ୍ଥା, ଆଦର୍ଶହୀନ ଜୀବନଚର୍ଯ୍ୟା, ଏକ ସିନିକ୍ ସୁଲଭ ଦୃଷ୍ଟିଭଙ୍ଗୀ, ମଣିଷର ଅନ୍ତର୍ନିହିତ ଦୁର୍ବଳତା, ଅବଚେତନ ମନର ସଂଗୁପ୍ତ କାମନାବାସନା, ସଂସ୍କାରଧର୍ମୀ ଚିତ୍ତବୃତ୍ତି, ସ୍ଥିତିବାଦୀ ଚେତନା, ମାନବିକତାର ସଙ୍କଟ, ନୀତିହୀନ ରାଜନୀତି, ନଗର ଜୀବନର ଆବିଳତା ଓ ଗ୍ରାମ୍ୟଜୀବନର ଅକୃତ୍ରିମତା, ନିଜ ସଂସ୍କୃତି ପ୍ରତି ମୋହମୁଗ୍ଧ ଦୃଷ୍ଟିଭଙ୍ଗୀ ଆଦି ତାଙ୍କ ଗଳ୍ପଜଗତର ବୈଚିତ୍ର୍ୟକୁ ପ୍ରମାଣିତ କରିଥାଏ । ପୁରାଣ, ଇତିହାସ ଓ ବୌଦ୍ଧଯୁଗର ପୃଷ୍ଠଭୂମି ଉପରେ ରଚିତ ତାଙ୍କ ଗଳ୍ପଗୁଡ଼ିକ ସ୍ୱତନ୍ତ୍ର ମହିମାରେ ଭାସ୍ୱର । ଏ କ୍ଷେତ୍ରରେ ଓଡ଼ିଆ କ୍ଷୁଦ୍ରଗଳ୍ପର ସେ ହେଉଛନ୍ତି ମାର୍ଗ ନିର୍ଦ୍ଦେଶକ । ବୌଦ୍ଧଯୁଗୀୟ ପୃଷ୍ଠଭୂମିରେ ରଚିତ ଗଳ୍ପଗୁଡ଼ିକରେ ତାଙ୍କର ସ୍ୱତନ୍ତ୍ର ଜୀବନଦର୍ଶନ ଅନନ୍ୟ ଓ ଅସାଧାରଣ । ଆଧୁନିକ ଜୀବନର ବହୁ ନକାରାତ୍ମକ ଦିଗ ତାଙ୍କ ଗଳ୍ପଗୁଡ଼ିକରେ ଶବଳିତ ହୋଇଥିବା ସତ୍ତ୍ୱେ ସେ ଗଭୀର ଜୀବନବାଦୀ ସ୍ରଷ୍ଟା । ମଣିଷ ଜୀବନର ମହତ୍ତ୍ୱକୁ ସେ ଖୋଜିଛନ୍ତି ପ୍ରତି ମୁହୂର୍ତ୍ତରେ । ନଗରର ଚାକଚକ୍ୟ ଜୀବନ, ବସ୍ତିର ଅସ୍ୱାସ୍ଥ୍ୟକର ପରିବେଶ, ପଲ୍ଲୀର ଅକୃତ୍ରିମ ଜୀବନଚର୍ଯ୍ୟା ଭିତରେ ସେ ଖୋଜିଛନ୍ତି ଜୀବନର ବାସ୍ତବତାକୁ । ସମସ୍ତ ପ୍ରତିକୂଳତା ସତ୍ତ୍ୱେ ମଣିଷର ବଞ୍ଚିବା ପାଇଁ ଅଦ୍ୟମ ଅଭିଳାଷ ତାଙ୍କୁ କରିଛି ଆଶ୍ଚର୍ଯ୍ୟାନ୍ୱିତ । ସ୍ଥିତିବାଦୀ ଦର୍ଶନରେ ବିଶ୍ୱାସୀ ସୁରେନ୍ଦ୍ର ବ୍ୟକ୍ତି ଚେତନାକୁ ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି । ଅର୍ଥନୀତିର ଅଙ୍କକଷାରେ ଜୀବନ ଓ ବ୍ୟକ୍ତି ମଣିଷକୁ କେବେ ଅବହେଳା କରିନାହାନ୍ତି । ତାଙ୍କର ଅଧିକାଂଶ ଗଳ୍ପରେ ଲେଖକୀୟ ଆତ୍ମସତ୍ତାଟି ବେଶ୍ ବାରି ହୋଇପଡ଼େ । ବିଷୟବସ୍ତୁ, ଚରିତ୍ରଚୟନ, ପରିବେଶନିର୍ମାଣ-ପ୍ରତ୍ୟେକ କ୍ଷେତ୍ରରେ ସୁରେନ୍ଦ୍ରଙ୍କ ସ୍ୱାତନ୍ତ୍ର୍ୟ ପ୍ରତିପାଦିତ । ତାଙ୍କ ପାଇଁ ଗଳ୍ପ ଆତ୍ମପ୍ରକାଶର ମାଧ୍ୟମଟିଏ ନୁହେଁ, ବରଂ ଅଭିବ୍ୟକ୍ତିର ଆତ୍ମସତ୍ତା । ସେଇଥିପାଇଁ ସୁରେନ୍ଦ୍ରଙ୍କ ଗଳ୍ପ ପଢ଼ିଲେ ବ୍ୟକ୍ତି ସୁରେନ୍ଦ୍ର ମହାନ୍ତି ଆମ ସମ୍ମୁଖରେ ଠିଆ ହୋଇପଡ଼ନ୍ତି । ତେଣୁ ତାଙ୍କ ଗଳ୍ପସତ୍ତା ଏବଂ ବ୍ୟକ୍ତିସତ୍ତା ପରସ୍ପର ପରସ୍ପରର ପରିପୂରକ ।

ଗଳ୍ପ ପରି ସୁରେନ୍ଦ୍ରଙ୍କ ଉପନ୍ୟାସଜଗତ ମଧ୍ୟ ବହୁ ବୈଚିତ୍ର୍ୟପୂର୍ଣ୍ଣ । ଇତିହାସ, କିମ୍ବଦନ୍ତୀ ଏବଂ ପୁରାଣର ସେ ନବନିର୍ମାଣ କରିଛନ୍ତି ତାଙ୍କ ଉପନ୍ୟାସରେ । ଇତିହାସର ପରିତ୍ୟକ୍ତ ମଣିଷ ହୋଇଛି ତାଙ୍କ ଉପନ୍ୟାସରେ ସ୍ୱାଭିମାନୀ ଓଡ଼ିଆର ପ୍ରତୀକ । ନୀଳଶୈଳର ନାୟକ ରାମଚନ୍ଦ୍ରଦେବ ତେଣୁ ତାଙ୍କ ପାଇଁ ଆଦର୍ଶ ଚରିତ୍ର । ସବୁ ଶକ୍ତିଶାଳୀ ସ୍ରଷ୍ଟା ଇତିହାସକୁ ବଦଳାଇ ଦେବାର ସାମର୍ଥ୍ୟ ରଖିଥାନ୍ତି । କୃଷ୍ଣାବେଣୀରେ ସନ୍ଧ୍ୟା, ନୀଳଶୈଳ, ନୀଳାଦ୍ରି ବିଜୟ ଅଥବା ଆଜୀବକର ଅଟ୍ଟହାସରେ ସୁରେନ୍ଦ୍ର ଯେଉଁ ନୂତନ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି, ତାହା ତାଙ୍କ ସ୍ୱତନ୍ତ୍ର ବିଚାରବୋଧର ପରିଚାୟକ । ସରଦେଈ ପରି ଚରିତ୍ର ହୋଇପାରିଛି ଉପନ୍ୟାସର ମୁଖ୍ୟ କଥା ପ୍ରବାହର ଏକ ଅବିଛିନ୍ନ ଧାରା । ଭିନ୍ନଭିନ୍ନ ସମସ୍ୟାକୁ କେନ୍ଦ୍ର କରି ତାଙ୍କ ଉପନ୍ୟାସର କଥାବସ୍ତୁ ଗତିଶୀଳ । କେଉଁଠି ଶିଳ୍ପୀ ଜୀବନର ସମସ୍ୟା ରହିଛି ତ କେଉଁଠି ରହିଛି ପ୍ରେମରେ ସମସ୍ୟା । ଶିକ୍ଷିତ ଯୁବକ ସଭ୍ୟତା ଓ ସଂସ୍କୃତି ଆଳରେ ଯେଉଁ ନକାରାତ୍ମକ ଚିନ୍ତାଧାରା ପ୍ରକାଶ କରିଛନ୍ତି, ତାହା ସମାଜରେ ନୈତିକ ବିଭ୍ରାଟ ସୃଷ୍ଟି କରିଥାଏ । ‘କଲେଜ ବୟ’ରେ ତା’ର ବାସ୍ତବ ଚିତ୍ର ଉତ୍‌କୀର୍ଣ୍ଣ । ‘ଅନ୍ଧ ଦିଗନ୍ତ’ରେ ଭାରତୀୟ ଗଣତନ୍ତ୍ରର ଏକ ବିଡ଼ମ୍ବିତ ରୂପ ପରିଲକ୍ଷିତ । ରାଜନୀତି ଓ ରାଜନୀତିକ ନେତାମାନଙ୍କର ସ୍ୱାଧୀନତୋତ୍ତର କାଳରେ ଯେଉଁ ନୈତିକ ଅଧୋପତନ ଘଟିଥିଲା, ତା’ର ବାସ୍ତବ ଚିତ୍ରଟି ଏଥିରେ ଶବଳିତ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ନୀଳଶୈଳ ଓ  ନୀଳାଦ୍ରିବିଜୟ ଓଡ଼ିଶୀ ସଂସ୍କୃତି ଓ ସ୍ୱାଭିମାନର ଚମତ୍କାର ଅଭିଲିପି । ‘ଶତାବ୍ଦୀର ସୂର୍ଯ୍ୟ’ ଏବଂ ‘କୁଳବୃଦ୍ଧ’ ଜୀବନଚରିତଧର୍ମୀ ଉପନ୍ୟାସ ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ ମଧୁସୂଦନଙ୍କ ତ୍ୟାଗମୟ ସଂଗ୍ରାମ ଜୀବନର ଅନୁପମ କଳାକୃତି । କିଛି ତଥ୍ୟଗତ ତ୍ରୁଟି ସତ୍ତ୍ୱେ ଓଡ଼ିଆ ଉପନ୍ୟାସ ଧାରାରେ ଏହା ଏକ ନୂତନ ସଂରଚନା । କାଳାନ୍ତର ଉପନ୍ୟାସରେ ସୁରେନ୍ଦ୍ରଙ୍କ ଆଧ୍ୟାତ୍ମିକ ଅବବୋଧ ପାଠକଙ୍କୁ ଜୀବନର ସଂକୀର୍ଣ୍ଣତାରୁ ଉତ୍ତୀର୍ଣ୍ଣ କରାଇ ଭିନ୍ନ ଏକ ଇଲାକାରେ ଉପନୀତ କରାଇଥାଏ । ଯୁଗ ସଂଘର୍ଷର ଏକ କାହାଣୀ ରୂପାୟିତ ‘ଅଚଳାୟତନ’ ଉପନ୍ୟାସରେ । ଆତ୍ମଜୀବନୀ ଧାରାରେ ରଚିତ ‘ନେତି ନେତି’ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଜନ୍ମ ଦେଇଛି ଏକ ନୂତନଧାରାକୁ । ସ୍ମୃତି, ବାସ୍ତବତା ଓ ଇତିହାସର ଏକ ମିଶ୍ରିତ ରୂପ ହେଉଛି ଏହି ଉପନ୍ୟାସ । ମାନବେନ୍ଦ୍ର ଚରିତ୍ର ମଧ୍ୟରେ କେଉଁଠି ନା କେଉଁଠି ସ୍ରଷ୍ଟା ସୁରେନ୍ଦ୍ରଙ୍କୁ ଚିହ୍ନି ହୋଇଯାଇଥାଏ । ଉତ୍କଳୀୟ ଜାତୀୟ ଜୀବନର ଏକ ବିଡ଼ମ୍ବିତ ରୂପ ହେଉଛି ‘କୃଷ୍ଣାବେଣୀରେ ସନ୍ଧ୍ୟା’ ଉପନ୍ୟାସ । ଇତିହାସର ବାସ୍ତବତା ଅପେକ୍ଷା ସାର୍ବକାଳୀନ ମଣିଷର ଅନ୍ତଃସ୍ୱରଟିକୁ ସ୍ପଷ୍ଟ ଶୁଣିହୁଏ ଏହି ଉପନ୍ୟାସରେ । ଅନୁରୂପ ଭାବେ ‘ଆଜୀବକର ଅଟ୍ଟହାସ’ ହେଉଛି ବୌଦ୍ଧଧର୍ମର ଏକ ବିଡ଼ମ୍ବିତ ରୂପର କଳାତ୍ମକ ଅଭିଲିପି । ଏଥିରେ ଜୀବନର ସାରସ୍ୱତ ରୂପଟି ଚିର ଦେବୀପ୍ୟମାନ । ସାମ୍ପ୍ରତିକ ସମସ୍ୟା ଓ ରାଜନୀତିକ ଘଟଣାର ଭିନ୍ନ ଏକ ରୂପ ପରିଲକ୍ଷିତ ହୋଇଥାଏ ‘ଫଟାମାଟି’ ଉପନ୍ୟାସରେ । ଜାତୀୟ ଆନ୍ଦୋଳନର ପୃଷ୍ଠଭୂମି ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନର କିଛି ଐତିହାସିକ ଓ ସମସାମୟିକ ସମାଜର ମୌଳିକ ସମସ୍ୟାଗୁଡ଼ିକୁ ଭିତ୍ତିକରି ଉପନ୍ୟାସର କଥାବସ୍ତୁ ହୋଇଛି ନିର୍ମାଣ । ‘ହଂସଗୀତି’ ଉପନ୍ୟାସରେ ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡର ଯୁବମାନସର ପ୍ରତିକ୍ରିୟା, ବିଭ୍ରାନ୍ତି ଓ ବିକ୍ଷୁବ୍‌ଧତା ରୂପ ପାଇଛି । ସୁରେନ୍ଦ୍ରଙ୍କ ଉପନ୍ୟାସ ଧାରାରେ ଏହା ଏକ ବ୍ୟତିକ୍ରମ ମନେ ହୋଇଥାଏ ।

ସାହିତ୍ୟ ସମାଲୋଚକ ଭାବେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ସ୍ୱତନ୍ତ୍ର ପରିଚୟର ଅଧିକାରୀ । ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସଗୁଡ଼ିକରେ ଯେଉଁ ସାଂସ୍କୃତିକ ଓ ସାମାଜିକ ଅନୁଶୀଳନର ନୂତନ ଦିଗ ଉଦ୍‌ଘାଟିତ ହୋଇଛି, ସମକାଳୀନ ସମାଲୋଚନା ଧାରାରେ ତାହା ଅଭିନବ ନିଶ୍ଚୟ । ତୁଳନାତ୍ମକ ଅଧ୍ୟୟନ ଧାରାରେ ସେ ସାହିତ୍ୟ ଇତିହାସଧାରାକୁ ଯେଉଁ ନୂତନ ଦିଶା ପ୍ରଦାନ କରିଛନ୍ତି, ତାହା ତାଙ୍କ ମୌଳିକ ବିଚାରଧାରାର ପରିଚାୟକ । ପରମ୍ପରା, ସମକାଳୀନ ରୁଚିବୋଧ, ତଥ୍ୟ ଏବଂ ତତ୍ତ୍ୱର ଚମତ୍କାର ସମନ୍ୱୟରେ ତାଙ୍କ ସାହିତ୍ୟର ଇତିହାସ ଏକ ସ୍ୱତନ୍ତ୍ରଧାରା ପ୍ରଣୟନ କରିଛି । ବୌଦ୍ଧ ଚର୍ଯ୍ୟାପଦଠାରୁ ସାମ୍ପ୍ରତିକକାଳର ସାହିତ୍ୟ ପର୍ଯ୍ୟନ୍ତ ଅନୁଶୀଳନ କରିବା ସମୟରେ ଅନ୍ତର୍ନିହିତ ମୂଲ୍ୟବୋଧ, ମାନବସମାଜ ଓ ସଭ୍ୟତାର ବିବର୍ତ୍ତନକୁ ଏକ ଭିନ୍ନ ପ୍ରେକ୍ଷାପଟ୍ଟରୁ ବିଚାର କରି ସେ ଯେଉଁ ନିର୍ଣ୍ଣୟରେ ପହଞ୍ଚିଛନ୍ତି, ତାହା ଓଡ଼ିଆ ସାହିତ୍ୟର ନୂତନ ଦିଗନ୍ତ ଉନ୍ମୋଚନ କରିଛି । ତାଙ୍କର ‘ଫକୀରମୋହନ’ ଏବଂ ‘ଫକୀରମୋହନ ସମୀକ୍ଷା’ରେ ଫକୀରମୋହନ ଏବଂ ତାଙ୍କ କୃତିର ନୂଆ ଦିଗକୁ ଉନ୍ମୋଚନ କରିଛନ୍ତି । ଫକୀରମୋହନଙ୍କ ସମ୍ପର୍କରେ ତାଙ୍କର ବିଚାରଦୃଷ୍ଟି ଏବେ ମଧ୍ୟ ପ୍ରାସଙ୍ଗିକ ଏବଂ ପ୍ରଥମ କରି ଫକୀରମୋହନ ସାହିତ୍ୟର ନୂତନ ବୀକ୍ଷା ସେଥିରେ ପରିଲକ୍ଷିତ । ଫକୀରମୋହନଙ୍କ ସୃଷ୍ଟିର ଉଭୟ ଭାବବସ୍ତୁ ଓ ଆଙ୍ଗିକକୁ ଭିନ୍ନଦୃଷ୍ଟିରୁ ବିଚାର କରି ତା’ର ନୂତନ ଦିଗ ଉନ୍ମୋଚନ କରିବାରେ ସମର୍ଥ ହୋଇଛନ୍ତି । ସେହିପରି ଦୀନକୃଷ୍ଣଙ୍କ ସମ୍ପର୍କରେ ତାଙ୍କର ଆଲୋଚନା ମନନଧର୍ମୀ ଓ ସୂକ୍ଷ୍ମ ବିଚାରଧାରାର ପରିଚାୟକ । ‘ସୁରେନ୍ଦ୍ର ବିଚିତ୍ରା’ରେ ସନ୍ନିବେଶିତ ଆଲୋଚନାଗୁଡ଼ିକ ତାଙ୍କ ତୁଳନାତ୍ମକ ବିଚାରଧାରାର ସ୍ୱାତନ୍ତ୍ର୍ୟକୁ ପ୍ରମାଣିତ କରିଥାଏ । ‘ସାହିତ୍ୟ ଓ ସମାଜ’ ପୁସ୍ତକର ଆଲୋଚନାମାନଙ୍କରେ ସାହିତ୍ୟକୁ ସମସାମୟିକ ସାମାଜିକ ଅବସ୍ଥା ସହିତ ତୁଳନା କରି ସେ ତାଙ୍କ ତୁଳନାତ୍ମକ ବିଚାରଦୃଷ୍ଟିର ପରିଚୟ ଦେଇଛନ୍ତି । ସାହିତ୍ୟର ଇତିହାସ ହେଉ ବା ଭିନ୍ନ ଆଲୋଚନା ହେଉ କିମ୍ବା ମୌଳିକ ପ୍ରବନ୍ଧ ହେଉ-ପ୍ରତିଟି କ୍ଷେତ୍ରରେ ସୁରେନ୍ଦ୍ର ତାଙ୍କର ସ୍ୱତନ୍ତ୍ର ବିଚାର ଦୃଷ୍ଟିର ପରିଚୟ ଦେଇଛନ୍ତି । ବ୍ୟକ୍ତିକୁ ଦୃଷ୍ଟିରେ ରଖି ସାହିତ୍ୟ ବିଚାର କରିନାହାନ୍ତି; ବରଂ ସମୟେ ସମୟେ ନିଷ୍ଠୁର ସତ୍ୟପ୍ରକାଶ କରିବାକୁ ଆଦୌ କୁଣ୍ଠିତ ହୋଇନାହାନ୍ତି । ଅଭିଜାତଭାଷା, ତୁଳନାତ୍ମକ ଦୃଷ୍ଟିଭଙ୍ଗୀ, ମୌଳିକ ଚିନ୍ତନ, କବିତ୍ୱପୂର୍ଣ୍ଣ ପ୍ରକାଶଭଙ୍ଗୀ, ଅଭିନବଶୈଳୀ ତାଙ୍କ ପ୍ରବନ୍ଧ ଓ ସମାଲୋଚନାଗୁଡ଼ିକୁ ସ୍ୱତନ୍ତ୍ର ମୂଲ୍ୟ ପ୍ରଦାନ କରିଛି ।

ସୁରେନ୍ଦ୍ର ମହାନ୍ତିଙ୍କ ବ୍ୟକ୍ତିନିଷ୍ଠ ରଚନାଗୁଡ଼ିକ ବେଶ୍ ରମ୍ୟଧର୍ମୀ । ‘ସୁରେନ୍ଦ୍ର ବିଚିତ୍ରା’ରେ ସ୍ଥାନିତ ଷୋହଳଟି ରଚନା ‘ସାହିତ୍ୟ ଓ ସମାଜ’ର ଏବଂ ତାଙ୍କର କେତୋଟି ସଂପାଦକୀୟ ରମ୍ୟରଚନାର ଗୁଣ ନେଇ ପ୍ରକାଶିତ । ଏଥିରେ ସମାଜ, ସଂସ୍କୃତି, ରାଜନୀତି, ଅତୀତ ନୌବାଣିଜ୍ୟ ଆଦି ବିଭିନ୍ନ ଘଟଣାକୁ ଚମତ୍କାର ଢଙ୍ଗରେ ପରିବେଷଣ କରାଯାଇଛି । କେତେକ କ୍ଷେତ୍ରରେ ଲେଖକଙ୍କ ଚଟୁଳତା, ଲଘୁବ୍ୟଙ୍ଗ ଓ ବିଦ୍ରୂପ ବେଶ୍ ବାରିହୋଇପଡ଼େ । ଆଧୁନିକ ମଣିଷର ବିଭିନ୍ନ ଦିଗକୁ ଏଥିରେ କଟାକ୍ଷପାତ କରାଯାଇଛି । ସମାଜ ଓ ସାହିତ୍ୟକୁ ଉପଜୀବ୍ୟ କରି ସେ କେତୋଟି ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନା କରିଛନ୍ତି । ପ୍ରତ୍ୟେକ ରଚନାରେ ସୁରେନ୍ଦ୍ରଙ୍କ ସୂକ୍ଷ୍ମବିଚାରବୋଧ ଓ ମନନଶୀଳତା ପରିଲକ୍ଷିତ । କାଗଜ ଡଙ୍ଗା, ମୟୂର, ମହିଷାସୁର ବଧ, ଚକ୍ରାନ୍ତ ଓ ଚକ୍ରଭିକ୍ଷା, ମଦ୍ୟ ଓ ବନ୍ୟା, ମେଦବହୁଳ ସମାଜ, କଫି ଗବେଷଣା, ମାଟିର ଦାର୍ଶନିକ, ଗୋଲାପ ଓ ପିକଦାନୀ, ଅଫିମର ଫୁଲ ଆଦି ରଚନାଗୁଡ଼ିକ ଏ କ୍ଷେତ୍ରରେ ସ୍ମରଣୀୟ । ତାଙ୍କର ସ୍ତମ୍ଭ ରଚନାଗୁଡ଼ିକ ସମକାଳୀନ ସମାଜର ବିଭିନ୍ନ ପ୍ରକାର ଘଟଣା ଓ ସମସ୍ୟାକୁ ନେଇ ଚରିତ । ପ୍ରତ୍ୟେକ ସ୍ତରରେ ସୁରେନ୍ଦ୍ରଙ୍କ ସୂକ୍ଷ୍ମବିଚାର ଦୃଷ୍ଟି, ଗଭୀର ଜିଜ୍ଞାସା ଓ ଅନ୍ତର୍ଦୃଷ୍ଟି ପ୍ରତିଫଳିତ । ପୁଣି ସାମାଜିକ ପ୍ରତିବଦ୍ଧତାର ସ୍ୱର ଅନେକ ସ୍ତମ୍ଭରେ ପ୍ରକାଶ ପାଇଛି ।

ସୁରେନ୍ଦ୍ରଙ୍କ ‘ପେକିଂ ଡ଼ାଏରୀ’ ଏକ ଅଭିନବ ଭ୍ରମଣ ବୃତ୍ତାନ୍ତ । ଜଣେ ଉଚ୍ଚକୋଟୀର ସର୍ଜନଶୀଳ ସ୍ରଷ୍ଟା ହୋଇଥିବାରୁ ତାଙ୍କ ଭ୍ରମଣସାହିତ୍ୟ ସମସ୍ତ ସାହିତ୍ୟିକ କଳାଧର୍ମ ନେଇ ପ୍ରକାଶିତ । ୧୯୫୬ ମସିହାରେ ଏକ ପ୍ରତିନିଧି ଦଳ ସହିତ ଚୀନ୍ ପରିଭ୍ରମଣରେ ଯାଇଥିବା ସମୟରେ ଚୀନର ସାମାଜିକ, ସାଂସ୍କୃତିକ ଜୀବନକୁ ଯେପରି ଦେଖିଛନ୍ତି, ତାକୁ ଅପୂର୍ବ କଳା କୁଶଳତାରେ ବର୍ଣ୍ଣନା କରିଛନ୍ତି ‘ପେକିଂ ଡାଏରୀ’ ଗ୍ରନ୍ଥରେ । ଅଠରଟି ଅଧ୍ୟାୟରେ ବିଭକ୍ତ ଏହି ପୁସ୍ତକଟି କମ୍ୟୁନିଷ୍ଟ ଚୀନର ସାମଗ୍ରିକ ପରିଚୟ ଦେବାରେ ସମର୍ଥ ହୋଇଛି । ଚୀନବାସୀଙ୍କ ଜୀବନଧାରଣ ପଦ୍ଧତି, ସ୍ନେହ-ସଂପ୍ରୀତି, କଠୋର ସାମାଜିକ ବ୍ୟବସ୍ଥା, ରାଷ୍ଟ୍ରପ୍ରତି ଚୀନ୍‌ବାସୀଙ୍କ ପ୍ରତିବଦ୍ଧ ଜୀବନ, ଶୈକ୍ଷିକ ବ୍ୟବସ୍ଥା, ବିଚାରାଳୟର ଅଗଣତାନ୍ତ୍ରିକ ବିଚାରପଦ୍ଧତି, କୃଷି ବ୍ୟବସ୍ଥା, ବିଭିନ୍ନ ଯୋଜନା, କଳା ଓ ସାହିତ୍ୟ ଆଦି ବହୁଦିଗ ଅତି ଅନ୍ତରଙ୍ଗତାର ସହିତ ଏଥିରେ ବର୍ଣ୍ଣିତ । ଚୀନ୍‌କୁ ନ ଦେଖି ମଧ୍ୟ ଏହି ପୁସ୍ତକଟି ମାଧ୍ୟମରେ ଚୀନ ସମ୍ବନ୍ଧରେ ଗୋଟିଏ ସ୍ଥୂଳଧାରଣା ସୃଷ୍ଟି ହୋଇପାରିବ ।

ସୁରେନ୍ଦ୍ର ମହାନ୍ତି ‘ପଥ ଓ ପୃଥିବୀ’ ଏକ ଚମତ୍କାର ଆତ୍ମଜୀବନୀ ଗ୍ରନ୍ଥ । ଆଦି, ମଧ୍ୟ ଓ ଉତ୍ତରଭାଗ ଏହପରି ତିନୋଟି ଭାଗରେ ବିଭକ୍ତ ଏହି ଅଭିନବ ଗ୍ରନ୍ଥଟି ଏକ ସୁନ୍ଦର ଉପନ୍ୟାସର ଭ୍ରମ ସୃଷ୍ଟି କରିବାକୁ ସମର୍ଥ । ଜନ୍ମଠାରୁ କୈଶୋର ଜୀବନ ଦେଇ ପାରିବାରିକ, ବୃତ୍ତିଗତ, ରାଜନୀତିକ, ସାହିତ୍ୟିକ ଓ ସାମାଜିକ ଜୀବନକୁ ଅତ୍ୟନ୍ତ ସ୍ପଷ୍ଟ ଏବଂ ନିର୍ଭୀକ ଭାବରେ ବର୍ଣ୍ଣନା କରିବା ସମୟରେ କୌଣସି କୃତ୍ରିମତାର ଆଶ୍ରୟ ନେଇନାହାନ୍ତି । ବରଂ ଅନେକ ସମୟରେ ନିଜ ଦୁର୍ବଳ ଦିଗକୁ ପ୍ରକାଶ କରିବାରେ ଆଦୌ କୁଣ୍ଠା ପ୍ରକାଶ କରିନାହାନ୍ତି । ନିଜର ସଂଘର୍ଷମୟ ଜୀବନ, ପ୍ରେମ, ରାଜନୀତିକ ଶଠତା, ସମସାମୟିକ ବହୁ ଘଟଣାକୁ ସତ୍ୟ ଓ ନିଷ୍ଠାର ସହିତ ପ୍ରକାଶ କରିଛନ୍ତି । ତେଣୁ ଏହି ଆତ୍ମଜୀବନଟି ହୋଇଛି ସମକାଳୀନ ଓଡ଼ିଶା ଓ ଭାରତର ସାମାଜିକ, ରାଜନୀତିକ, ଆର୍ଥନୀତିକ ଓ ସାଂସ୍କୃତିକ ଜୀବନର ଅକପଟ ପରିପ୍ରକାଶ । ଇତିହାସର ବହୁ ଘଟଣାକୁ ସେ ଯେପରି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି, ବାସ୍ତବରେ ତାହା ପ୍ରଶଂସନୀୟ ନିଶ୍ଚୟ । ଓଡ଼ିଆ ଆତ୍ମଜୀବନୀ ରଚନାଧାରାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରାଯାଇ ନପାରେ ।

ନାଟକ ରଚନା କ୍ଷେତ୍ରରେ ସୁରେନ୍ଦ୍ର ପାରଦର୍ଶିତା ପ୍ରଦର୍ଶନ ନ କରିପାରିଥିଲେ ମଧ୍ୟ ତାହାର କଳାଗତ ଓ କାଳଗତ ଦିଗକୁ ଅସ୍ୱୀକାର କରାଯାଇନପାରେ । ୧୯୬୯ ମସିହାରେ ଗାନ୍ଧି-ଶତବାର୍ଷିକୀ ଉଦ୍ଦେଶ୍ୟରେ ପ୍ରସାରିତ ହେବା ଲାଗି ରଚିତ ଏହି ଧାରାବାହିକ ରେଡିଓ ନାଟକରେ ଗାନ୍ଧିଜୀଙ୍କ ଜୀବନୀ, କୃତିତ୍ୱ ଓ କାର୍ଯ୍ୟଧାରାର ବିଶଦ ବିବରଣୀ ଲିପିବଦ୍ଧ । ଏହାର ଐତିହାସିକତା ପ୍ରତି ପ୍ରଶ୍ନବାଚୀ ଉଠିନପାରେ । ନାଟକଟିର ବିଶେଷତ୍ୱ ହେଉଛି ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ତୁଣ୍ଡ ନାଟକର କୌଣସି ସ୍ଥାନରେ ଶୁଣାଯାଇ ନାହିଁ; ଅଥଚ ଗାନ୍ଧିଙ୍କ ଜୀବନଧାରାର ବହୁଘଟଣା ଏଥିରେ ଲିପିବଦ୍ଧ । ‘ବାପୁ’ ବ୍ୟତୀତ ସେ ଆଉ କିଛି ନାଟକ ଓ ଏକାଙ୍କିକା ରଚନା କରିଛନ୍ତି । ବକ୍‌ସି ଜଗବନ୍ଧୁ, ସେନାପତି, ପ୍ରଦୀପ ପୃଥିବୀର ଆଲୋକ, ରାଣୀ ଚନ୍ଦ୍ରିକା, ଯବନିକାର ଅନ୍ତରାଳେ ତଥା ରବୀନ୍ଦ୍ର ନାଥ ଟାଗୋରଙ୍କ ‘ଗୋରା’ ଉପନ୍ୟାସର ନାଟ୍ୟରୂପ ମଧ୍ୟ ତାଙ୍କ ନାଟ୍ୟ ପ୍ରତିଭାର ପରିଚୟ ପ୍ରଦାନ କରିଥାଏ । ତାଙ୍କର ବସ୍ତୁନିଷ୍ଠ ପ୍ରବନ୍ଧରେ ସୁରେନ୍ଦ୍ରଙ୍କ ଜ୍ଞାନର ଦିଗନ୍ତ ତଥା ସୂକ୍ଷ୍ମ ଅନ୍ତର୍ଦୃଷ୍ଟିର ଯଥାର୍ଥ ନିଦର୍ଶନ ରହିଛି । ସୁରେନ୍ଦ୍ର ମହାନ୍ତି ଓଡ଼ିଶା ସାହିତ୍ୟାକାଶରେ ଏକ ଉଜ୍ୱଳ ଜ୍ୟୋତିଷ୍କ । ସାହିତ୍ୟର ପ୍ରତ୍ୟେକ ବିଭାଗରେ ଲେଖନୀ ଚାଳନା କରିଛନ୍ତି । ପ୍ରତିକ୍ଷେତ୍ରରେ ସେ ନିଜ ସ୍ୱତନ୍ତ୍ର ବିଚାରଦୃଷ୍ଟିର ପ୍ରମାଣ ଦେଇଛନ୍ତି । ଏହି ମହାନ ସାହିତ୍ୟସାଧକଙ୍କ ମହାପ୍ରୟାଣ ଘଟେ ୨୧ ଡିସେମ୍ବର ୧୯୯୦ ମସିହାରେ । ଏଯାବତ୍ ସୁରେନ୍ଦ୍ର ମହାନ୍ତିଙ୍କ ସ୍ଥାନ ଅପୂରଣୀୟ ହୋଇ ରହିଯାଇଛି । ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି ତାଙ୍କ ସୃଷ୍ଟି ପାଇଁ ଓଡ଼ିଆ ସାହିତ୍ୟରେ ଅମର ହୋଇ ରହିଯାଇଛନ୍ତି ।

Nayanapur Express

Nayanapur Express
Surendra Mohanty

ଯୁବମାନସର ପ୍ରତିକ୍ରିୟା ଗଳ୍ପଟିର ପରିଣତିକୁ କରିଛି ଅଶ୍ରୁସଜଳ...

Krushnachuda

Krushnachuda
Surendra Mohanty

ସୁରେନ୍ଦ୍ର ମହାନ୍ତି ଓଡିଆ କଥା ସାହିତ୍ୟର ସେଇ...

Pita O Putra

Pita O Putra
Surendra Mohanty

ଓଡିଆ ସାହିତ୍ୟ ଆକାଶର ଅମଳିନ ଜ୍ୟୋତିଷ୍କ ପଦ୍ମଶ୍ରୀ...

Shreekrushnanka Sesha Hasa

Shreekrushnanka Sesha Hasa
Surendra Mohanty

୧୯୨୨ ମସିହାରେ ଜନ୍ମିତ ଗାଳ୍ପିକ ସ୍ଵର୍ଗତ ସୁରେନ୍ଦ୍ର...

O! Kalkata!!

O! Kalkata!!
Surendra Mohanty

୧୯୨୨ ମସିହାରେ ଜନ୍ମିତ ଗାଳ୍ପିକ ସ୍ଵର୍ଗତ ସୁରେନ୍ଦ୍ର...

Sariputta

Sariputta
Surendra Mohanty

ଜୀବନବାଦୀ ସୁରେନ୍ଦ୍ର ଜୀବନ-ବିରୋଧୀଙ୍କ ପ୍ରତି ସ୍ୱାଭାବିକ ଭାବରେ...

Basi Mada

Basi Mada
Surendra Mohanty

ମୃତ୍ୟୁ ଚିରନ୍ତନ ସତ୍ୟ; ସେ କାନଗୋଇ ପରି...

Madhumatta ra Ratri

Madhumatta ra Ratri
Surendra Mohanty

ଗାଳ୍ପିକ ସୁରେନ୍ଦ୍ର ରୂପ ଓ ସୌନ୍ଦର୍ଯ୍ୟ ମଧ୍ୟଦେଇ...

Pataka Uttalona

Pataka Uttalona
Surendra Mohanty

୧୯୪୭ ମସିହା ଅଗଷ୍ଟ ୧୪ । ସମୟ...

Khristabda 2066

Khristabda 2066
Surendra Mohanty

କ’ଣ ହୋଇପାରେ ଖ୍ରୀ.ଅ.୨୦୬୬ ସମ୍ଭାବିତ ପୃଥିବୀ ।...

Surjyastara Sahanai

Surjyastara Sahanai
Surendra Mohanty

କିତିନି ହୈ ବଦନସୀବ ଜାଫର୍ ଦଫନ୍ କେ...

Sabuja Patra O Dhusara Golapa

Sabuja Patra O Dhusara Golapa
Surendra Mohanty

ସବୁଜପତ୍ର ସହିତ ଧୂସର ଗୋଲାପ ଏବଂ ରୋମାଣ୍ଟିକ୍...

Mahanagari ra Ratri

Mahanagari ra Ratri
Surendra Mohanty

ମହାନଗରୀର ଚାକଚକ୍ୟ ଅନ୍ତରାଳରେ ଅନ୍ଧକାରର ମହାକାରୁଣ୍ୟଟିଏ ଯେପରି...

Mansa ra Konarka

Mansa ra Konarka
Surendra Mohanty

ଏକ ଭୟଙ୍କର ଯୁଗ-ସଂକ୍ରାନ୍ତିର କଳାକୋଣାର୍କ ‘ମାଂସର କୋଣାର୍କ’...

Adinara Atithi

Adinara Atithi
Surendra Mohanty

ସାମନ୍ତବାଦର ବାହ୍ୟଖୋଳପା ଅନ୍ତରାଳରେ ନିଃସଂଗତାର କରୁଣ ଆଳାପ...

Pushyabhishek

Pushyabhishek
Surendra Mohanty

ଏକ କ୍ଷୟିଷ୍ଣୁ ସାମନ୍ତବାଦର କାରୁଣ୍ୟ ଇତିହାସ ଭିତରେ...

Pagala Garada ra Kahani

Pagala Garada ra Kahani
Surendra Mohanty

ସ୍ଥୁଳ ଚେତନା ଉର୍ଦ୍ଧ୍ୱରେ ରହିଛି ଏକ ସୂକ୍ଷ୍ମ...

Aakasha Tathapi Sunila

Aakasha Tathapi Sunila
Surendra Mohanty

ଏକ ଭାବପ୍ରବଣତା, କିଛି ବ୍ୟକ୍ତି ସ୍ୱାର୍ଥ, ଅନେକ...