ସୁରେନ୍ଦ୍ର ମହାନ୍ତି ଓଡିଆ କଥା ସାହିତ୍ୟର ସେଇ ମୁକ୍ତା ଯାହାକୁ ବାଦ୍ ଦେଲେ ଓଡିଆ ସାହିତ୍ୟ ମୁକୁଟ ହୀନ ଏକ ନିଷ୍ପ୍ରଭ ବସ୍ତୁଟିଏ ଭଳି ପ୍ରତୀୟମାନ ହେବ। ନିଜର ଉଚ୍ଚାଙ୍ଗ ଅବଦାନ ଏବଂ ଅପ୍ରତିହତ ସାହିତ୍ୟ ସାଧନା ବଳରେ ସେ ଓଡିଆ ସାହିତ୍ୟକୁ ଦେଇଛନ୍ତି ଏକ ନୂତନ ଦିଗନ୍ତ । ଆଳଙ୍କରିକ ଶବ୍ଦ ସଂଯୋଜନା ଓ ଭାବର ଅପୂର୍ବ ବିନ୍ୟାସ ତାଙ୍କର ପ୍ରତିଟି ସୃଷ୍ଟିକୁ କରିଛି ବଳିଷ୍ଠ ଏବଂ ହୃଦୟସ୍ପର୍ଶୀ । ୧୯୨୨ ମସିହାରେ ଜନ୍ମିତ ଗାଳ୍ପିକ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଜୀବନ ବ୍ୟାପି ସାରସ୍ଵତ ସାଧନା,ଜନସେବା ଓ ରାଜନୀତିରେ ବ୍ରତୀଥିଲେ। ଏକଦା ଓଡିଶା ସାହିତ୍ୟ ଏକାଡେମିର ସଭାପତି ପଦବୀ ମଣ୍ଡନ କରିବା ସହ ପଦ୍ମଶ୍ରୀ,ଓଡିଶା ସାହିତ୍ୟ ଏକାଡେମୀ ଓ ସାରଳା ପୁରସ୍କାର, ସାହିତ୍ୟ ଅକାଦେମୀ ଭଳି ଅନେକ ପୁରସ୍କାର ଓ ସମ୍ମାନର ସେ ଜଣେ ବିରଳ ଅଧିକାରୀ ।୧୯୯୦ ମସିହାରେ ତାଙ୍କର ମୃତ୍ୟୁ ଓଡିଆ ସାହିତ୍ୟ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି ।
ଗଳ୍ପ “କୃଷ୍ଣଚୂଡା” ସୁରେନ୍ଦ୍ର ମହାନ୍ତିଙ୍କ ସୃଷ୍ଟି ସମ୍ଭାରର ଏକ ଅତୁଳନୀୟ କୃତି ଯେଉଁଥିରେ ମଣିଷ ମନ ତଳର ଉଷ୍ମ ଆବେଗ କିପରି ସାମାଜିକ ଦୃଷ୍ଟିଭଙ୍ଗୀ ଓ ଅନୁଶାସନରେ ଧ୍ଵସ୍ତ ବିଧ୍ଵସ୍ତ ହେଇ ହୃଦୟକୁ ଭିତରେ ଭିତରେ ରକ୍ତାକ୍ତ କରିପକାଏ ତାର ଏକ ନଗ୍ନ ନମୁନା । ଏହି ଗଳ୍ପଟି ଅତିକ୍ରାନ୍ତ ବୟସରେ କ’ଣ ଶେଷ ହେଇଯାଏ ଜୀବନର ସକଳ ଉଦ୍ଦୀପନା ? ପରିଣତ ବୟସରେ କ’ଣ ଜୀବନରୁ ଲିଭିଯାଏ ସକଳ ଭାବପ୍ରବଣତାର ରଙ୍ଗ ? ଏଇ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ଗାଳ୍ପିକ ତାଙ୍କ ଅଦ୍ଵିତୀୟ ଗଳ୍ପ “କୃଷ୍ଣଚୂଡା”ରେ । ଖବର କାଗଜ ସମ୍ପାଦକ ସଦାନନ୍ଦ ଜାତୀୟ ଆନ୍ତର୍ଜାତୀୟ ଖବର ପରିବେଷଣକୁ ନେଇ ବୀତସ୍ପୃହ ହେଇପଡିଥିବା ବେଳେ ଅଚାନକ ମନରେ ଜାଗିଛି ଶ୍ରାବଣ ଆକାଶତଳେ ଫୁଟିଥିବା ରକ୍ତିମ କୃଷ୍ଣଚୂଡା ପ୍ରତି ଅହେତୁକ ମମତା । ଇଚ୍ଛା ହେଇଛି ଏଇ ଅତିକ୍ରାନ୍ତ ବୟସରେ କୃଷ୍ଣଚୂଡା ଗଛରେ ଚଢି ପେନ୍ଥାଏ ଫୁଲ ଆଣି ଖୋସିଦେବାକୁ ପତ୍ନୀ ତମସାର ଗଭାରେ । ହେଲେ ଏହା କଣ ସମ୍ଭବ ବର୍ତ୍ତମାନର ପରିବେଶରେ ?
ଅତୀବ ମର୍ମସ୍ପର୍ଶୀ ଓ ଆବେଗପୂର୍ଣ ଘଟଣାରେ ପରିଭାଷିତ ଏଇ କାହାଣୀ ସବୁବର୍ଗର ପାଠକ ଓ ଶ୍ରୋତାଙ୍କୁ ଅଭିଭୂତ କରିବାର ସାମର୍ଥ୍ୟ ରଖେ । ଆସନ୍ତୁ ଶୁଣିବା ଗଳ୍ପ – “କୃଷ୍ଣଚୂଡା”,ଗାଳ୍ପିକ ସୁରେନ୍ଦ୍ର ମହାନ୍ତି
