N Aa
Add to Library  

୧୯୨୨ ମସିହାରେ ଜନ୍ମିତ ଗାଳ୍ପିକ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଜୀବନ ବ୍ୟାପି ସାରସ୍ଵତ ସାଧନା, ଲୋକସେବା ଓ ରାଜନୀତିରେ ବ୍ରତୀଥିଲେ । ଏକଦା ଓଡିଶା ସାହିତ୍ୟ ଏକାଡେମିର ସଭାପତି ପଦବୀ ମଣ୍ଡନ କରିବା ସହ ପଦ୍ମଶ୍ରୀ, ଓଡିଶା ସାହିତ୍ୟ ଏକାଡେମି ଓ ସାରଳା ପୁରସ୍କାର ଭଳି ଅନେକ ପୁରସ୍କାର ଓ ସମ୍ମାନର ସେ ଥିଲେ ବିରଳ ଅଧିକାରୀ । ୧୯୯୦ ମସିହାରେ ତାଙ୍କର ମୃତ୍ୟୁ ଓଡିଆ ସାହିତ୍ୟ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି।
ପୌରାଣିକ ଆଖ୍ୟାୟିକାର ପୃଷ୍ଠଭୂମି ଉପରେ ନିଜର ଓଜସ୍ଵିନୀ ଭାଷା ଆଳଙ୍କାରିକ ଶବ୍ଦ ସଂଯୋଜନାରେ ସଫଳ ତଥା ଅମୂଲ୍ୟ ଗଳ୍ପ ସୃଷ୍ଟି କରିବାରେ ପଦ୍ମଶ୍ରୀ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଜଣେ ଅଦ୍ଵିତୀୟ କଥାଶିଳ୍ପୀ । ଏଇ କ୍ରମରେ ତାଙ୍କର ପ୍ରସିଦ୍ଧ ଗଳ୍ପ “ଶ୍ରୀକୃଷ୍ଣ ଙ୍କ ଶେଷ ହସ” ଏକ କାଳଜୟୀ ସୃଷ୍ଟି । ଯଦିଓ ଏଇ କଥାବସ୍ତୁ ସର୍ବଜନବିଦିତ, ମାତ୍ର ଏହାର ବର୍ଣ୍ଣନା ଚାତୁରୀ ଓ ଗୁରୁଗମ୍ଭୀର ଶବ୍ଦବିନ୍ୟାସ ସମଗ୍ର କାହାଣୀକୁ କରିଛି କୌତୂହଳ ଓ ଉତ୍କଣ୍ଠାରେ ପରିପୂର୍ଣ୍ଣ । ନିଜ ଦୃଷ୍ଟିହୀନ ସ୍ଵାମୀଙ୍କ ଦୃପ୍ତ ଗାରିମାକୁ ସମ୍ମାନ ଦେବାକୁ ଯାଇ ବିବାହ ସମୟରୁ ଆଖିରେ ଚକ୍ଷୁ ପଟ୍ଟଳିକା ବାନ୍ଧି ଥିବା କୌରବ ମହାରାଣୀ ଗାନ୍ଧାରୀଙ୍କ ଚକ୍ଷୁରେ ରହିଛି ବର୍ଷ ବର୍ଷର ଲେଲିହାନ ଅଗ୍ନିଶିଖା । ଚକ୍ଷୁ ପଟ୍ଟଳିକା ଥରେ ଖୋଲିଦେଲେ ତାଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ସେଇ ପ୍ରଚଣ୍ଡ ବହ୍ନିଶିଖାରେ ଜଳି ପୋଡି ଧ୍ଵଂସ ହେଇଯିବା ନିଶ୍ଚିତ । ଏଇ ଚକ୍ଷୁ ପଟ୍ଟଳିକା ଖୋଲିଦେବା ପାଇଁ ମହାରାଣୀ ଆମନ୍ତ୍ରଣ କରିଛନ୍ତି ପଣ୍ଡୁ ପୁତ୍ର ଯୁଧିଷ୍ଠିରଙ୍କୁ । ମହାରାଣୀଙ୍କ ଉଦ୍ଦେଶ୍ୟ ତାଙ୍କ ଶତପୁତ୍ରଙ୍କ ନିଧନର କାରଣ ମୁଖ୍ୟ ପାଣ୍ଡବଙ୍କୁ ସେ ଧ୍ଵଂସ କରି ନେବେ ସମୂହ ପୁତ୍ର ମୃତ୍ୟୁର ପ୍ରତିଶୋଧ । କିନ୍ତୁ ଏଇ ସକଳ ଇଚ୍ଛା ଓ ଯୋଜନାର ଅନ୍ତ ଘଟେ ଦିବ୍ୟଦ୍ରଷ୍ଟା ଶ୍ରୀକୃଷ୍ଣଙ୍କ ଶେଷ ହସରେ । ରାଜନୀତି ଓ କୂଟନୀତି ଯୁଗେ ଯୁଗେ ସଭ୍ୟତା ଓ ସଂସାରରେ କିପରି ଭୂମିକା ନେଇଆସିଛି ଏଇ କଥା କାହାଣୀ ଛଳରେ ଗଳ୍ପରେ ଉପସ୍ଥାପନ କରିଛନ୍ତି ବିଚକ୍ଷଣ କଥାକାର ସୁରେନ୍ଦ୍ର । ତେବେ ଶେଷରେ ମହାରାଣୀ ଗାନ୍ଧାରୀଙ୍କ ଚକ୍ଷୁ ପଟ୍ଟଳିକା ଖୋଲେ କି ନାହିଁ ? କାହିଁକି ହସନ୍ତି ଶ୍ରୀକୃଷ୍ଣ?
ଏ ସବୁର ରୋମାଞ୍ଚକର ଉତ୍ତର ଜାଣିବା ପାଇଁ ଆସନ୍ତୁ ଶୁଣିବା ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଏଇ ଅନୁପମ ଗଳ୍ପ – “ଶ୍ରୀକୃଷ୍ଣ ଙ୍କ ଶେଷ ହସ”

Comments

Rating*

Your email address will not be published. Required fields are marked *