ଫକୀରମୋହନଙ୍କରଜନ୍ମ ୧୮୪୩ ମସିହା ଜାନୁଆରୀ ମାସରେ । ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀ । ମାତ୍ର ୧୭ ମାସ ସମୟରେ ପିତା ଏବଂ ତା’ର ୩ ମାସପରେ ମାତାଙ୍କର ବିୟୋଗ ଦେଖିଥିଲେ ବ୍ରଜମୋହନ ଓରଫ ଫକୀରମୋହନ । ଶୈଶବ କାଳରେ ଅନାଥ ହେବା ଫକୀରମୋହନଙ୍କ ଜୀବନର ପରବର୍ତ୍ତୀ ଗତିଧାରାକୁ ଅନେକାଂଶରେ ନିୟନ୍ତ୍ରିତ କରିଥିଲା । ତାଙ୍କ ମାମୁଘର, ମଉସାଘର ଏବଂ ଆପଣାର ଘର ସମକାଳ ଦୃଷ୍ଟିରେ ବିତ୍ତଶାଳୀ ଥିଲେ ବି ତାଙ୍କୁ ସାରାଜୀବନ ସଂଘର୍ଷ କରିବାକୁ ପଡ଼ିଥିଲା । ମାମୁ ଓ ମଉସା ଘର ତାଙ୍କ ଦାୟିତ୍ୱ ଏଡ଼ାଇଯାଇଥିବା ବେଳେ ବଡ଼ବାପା ଓ ବଡ଼ମା’ଙ୍କ ପିଲାଙ୍କର ଥିଲେ ସେ ଅଦୃଶ୍ୟ ପ୍ରତିଦ୍ୱନ୍ଦୀ । ଜେଜେମା’କୁଚିଳା ଦେଈଙ୍କ ସ୍ନେହ ଓ ଅନ୍ଧ ଭଲପାଇବା ଫକୀରମୋହନଙ୍କ ଶୈଶବ ଓ କୈଶୋର ଜୀବନକୁ ଅର୍ଥବହ କରିଥିଲା । ପିଲାଦିନରୁ ଫକୀରମୋହନ ଥିଲେ ଚଞ୍ଚଳ, ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ। ତତ୍ସହିତ ନୂତନ ପଥ ଖୋଜିବାରେ ତାଙ୍କର ଆଗ୍ରହ ଥିଲା ଅପରିସୀମ । ବଡ଼ବାପା ପୁରୁଷୋତ୍ତମ ସେନାପତି ସ୍ୱଚ୍ଛଳ ଥିଲେ ବି ତାଙ୍କ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ନ ଥିଲେ । ଫଳରେ ଫକୀରମୋହନ ନିଜଚେଷ୍ଟାରେ ଶିକ୍ଷାଲାଭ କରିଥିଲେ ଓ ପାରିବାରିକ ବୃତ୍ତିରେ ନିୟୋଜିତ ହୋଇଥିଲେ । ଅପରପକ୍ଷରେ ପିଲାଦିନୁ ତାଙ୍କୁ ସ୍ୱାସ୍ଥ୍ୟ ସହିତ ସଂଘର୍ଷ କରିବାକୁ ପଡ଼ୁଥିଲା । ତେଣୁ ଖୁବ୍ ଛୋଟବେଳୁ ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହେବା ଓ ଆବଶ୍ୟକ ପଡ଼ିଲେ ଆତ୍ମରକ୍ଷା କରିବା; କିଛି ସମୟ ଶକ୍ତି ସଂଗ୍ରହ କରିବା ପରେ ପୁଣି ନୂତନ ପଥର ସନ୍ଧାନ କରିବା ଥିଲା ଫକୀରମୋହନଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ । ତେଣୁ ଜୀବନରେ ସେ ବହୁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଜାହାଜ ପ୍ରସ୍ତୁତ ଉପକରଣର ନିରୀକ୍ଷକ, ଲବଣ ପ୍ରୋକ୍ତାନିର ହିସାବରକ୍ଷକ, ସ୍କୁଲଶିକ୍ଷକ, କଚେରୀର ଅମଲା, ପୁସ୍ତକ ବ୍ୟବସାୟୀ, ପ୍ରେସ୍ ପ୍ରତିଷ୍ଠାତା ଓ ପରିଚାଳକ, ପାଠ୍ୟପୁସ୍ତକ ପ୍ରଣେତା, ସମ୍ବାଦ ଓ ସାହିତ୍ୟପତ୍ର ସମ୍ପାଦକ, ଜମିଦାରୀର ମାଲିକ, ବିଭିନ୍ନ ଗଡ଼ଜାତର ପ୍ରଶାସକ, ବୈଦ୍ୟ, ଚାଉଳ-କାଠାଦିର ବ୍ୟବସାୟୀ ଇତ୍ୟାଦି ବିଭିନ୍ନ ଭୂମିକାରେ କାର୍ଯ୍ୟ କରିଥିଲେ । ଫକୀରମୋହନଙ୍କ ବିଶେଷତ୍ୱ ହେଲା ଗୋଟିଏ ସମୟରେ ଏକାଧିକ କାର୍ଯ୍ୟକରିବା । ବହୁସମୟରେ ଏଥିରେ ସେ କୃତକାର୍ଯ୍ୟ ହେବାବେଳେ କେତେକ କ୍ଷେତ୍ରରେ ବିପଦର ବି ସମ୍ମୁଖୀନ ହୋଇ ନିନ୍ଦା-ଅପଯଶ ପାଇଛନ୍ତି ।
ବାସ୍ତବ ଜୀବନରେ ଏହି ସମସ୍ତ ଭୂମିକାରେ ଅବତୀର୍ଣ୍ଣ ହେଲେ ମଧ୍ୟ ଫକୀରମୋହନ ତରୁଣବୟସରୁ ନିଜଭାଷା ତଥା ମାଟିର ବିକାଶ କଥା ଚିନ୍ତାକରିଛନ୍ତି, ସ୍ୱପ୍ନ ଦେଖିଛନ୍ତି ଓ ତା’ର ସଫଳତା ପାଇଁ ଯୋଜନା ବି ପ୍ରସ୍ତୁତ କରିଛନ୍ତି । ଘରୋଇ ପରୀକ୍ଷାର୍ଥୀ ଭାବରେ ମିଡ଼ିଲ ଭର୍ଣ୍ଣାକୁଲାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ବାଲେଶ୍ୱରର ବିଭିନ୍ନ ସମସ୍ୟା ନେଇ ‘ସୋମପ୍ରକାଶ’ପରି ପ୍ରତିଷ୍ଠିତ ବଙ୍ଗଳା ପତ୍ରିକାକୁ ଚିଠି ଲେଖିଛନ୍ତି । ଜାହାଜାତି କାରବାର ଉଠିଯିବାରୁ, ଲବଣ ପ୍ରୋକ୍ତାନି ବନ୍ଦ ହୋଇଯିବାରୁ ଓ ବିଭିନ୍ନ ଜାତିର କୁଳବେଉସା କ୍ରମଶଃ ମରିମରି ଯାଉଥିବାରୁ ସେ ନିଜେ କେବଳ ଦୁଃଖିତ ହୋଇନାହାନ୍ତି, ସେହି ସବୁ ବ୍ୟବସାୟ ଓ କାର୍ଯ୍ୟସହିତ ସମ୍ପୃକ୍ତ ମଣିଷମାନଙ୍କର ସମସ୍ୟାକୁ ବୃହତ୍ତର ଜନଗୋଷ୍ଠୀ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ଓଡ଼ିଆରେ ସେ ସମୟରେ ନିୟମିତ ପ୍ରକାଶିତ ସମ୍ବାଦପତ୍ର ନ ଥିବାରୁ ସେ ବଙ୍ଗଳା ସମ୍ବାଦପତ୍ରରେ ପ୍ରଥମେ ଆତ୍ମପ୍ରକାଶ କରିଥିଲେ । ସମକାଳରେ ଛାନ୍ଦ, ଚଉପଦୀ ଆଦି ରଚନାକରିବା ତାଙ୍କର ଏକ ବିଳାସ ଥିଲା । ଚାକିରିରେ ସ୍ଥିର ହେବାପରେ ସେ ଦେଶପାଇଁ କାର୍ଯ୍ୟକରିବାକୁ ଆଗେଇ ଆସିଛନ୍ତି । ତାଙ୍କରି ଉଦ୍ୟମରେ ସ୍ଥାପିତହୋଇଛି ପି.ଏମ୍.ସେନାପତି ଏଣ୍ଡ କୋ ଓ ଏହି କମ୍ପାନୀ ମାଧ୍ୟମରେ ସେ ପ୍ରତିଷ୍ଠା କରିଛନ୍ତି ଓଡ଼ିଶାର ତୃତୀୟ ମୁଦ୍ରଣ ଯନ୍ତ୍ର ‘ବାଲେଶ୍ୱର-ଉତ୍କଳପ୍ରେସ’। ଫକୀରମୋହନଙ୍କ ସମ୍ପାଦନାରେ ପ୍ରକାଶ ପାଇଛି ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ମାସିକ ସମ୍ବାଦପତ୍ର । ବଙ୍ଗଳାରେ ଗଦ୍ୟ ଲେଖୁଥିବା ଫକୀରମୋହନ ଓଡ଼ିଆରେ ଗଦ୍ୟ ଲେଖିବାକୁ ଆରମ୍ଭ କରିଛନ୍ତି ।
୧୮୬୫-୬୮ ମସିହା ଉପକୂଳବର୍ତ୍ତୀ ଓଡ଼ିଶା ପାଇଁ ଥିଲା ସଙ୍କଟ, ସଂଘର୍ଷ ଓ ସମ୍ଭାବନାର ସମୟ । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ଓଡ଼ିଶାର ଅନେକ ଜମିଦାରୀ ବଙ୍ଗଳା ଅମଲା ଓ ବ୍ୟବସାୟୀମାନଙ୍କର ହସ୍ତଗତ ହୋଇଥିଲା । ଆଧୁନିକ ଶିକ୍ଷାଦୃଷ୍ଟିରୁ ବଙ୍ଗଳା ତୁଳନାରେ ଓଡ଼ିଶା ଥିଲା ଅନେକ ପଛରେ । ଓଡ଼ିଶାର ଉଚ୍ଚ ଓ ମଧ୍ୟବିତ୍ତତ୍ତ ସମ୍ପ୍ରଦାୟ ସେତେବେଳକୁ ଘୋର ସଙ୍କଟର ସମ୍ମୁଖୀନ ହୋଇଥିଲା । ଭାଷା, ସାହିତ୍ୟ ଜନିତ ଆତ୍ମପରିଚିତି ହେଉଛି ମଧ୍ୟବିତ୍ତତ୍ତ ବର୍ଗର ଆତ୍ମପରିଚିତି । ସେହି ସମୟରେ ଓଡ଼ିଶାର ଅର୍ଥନୀତି କେବଳ ବିପର୍ଯ୍ୟସ୍ତ ହୋଇ ନ ଥିଲା, ତା’ର ଭାଷା, ସାହିତ୍ୟ ଓ ସଂସ୍କୃତି ମଧ୍ୟ ନିଜ ପରିଚିତି ହରାଇବାକୁ ଆରମ୍ଭ କରିଥିଲା । ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ଏହି ସଙ୍କଟକୁ କରିଥିଲା ଅଧିକ ମର୍ମାନ୍ତିକ । ସମକାଳରେ ଓଡ଼ିଶା ମାଟିରେ ବହୁଦିନରୁ ବାସକରୁଥିବା କିଛି ବଙ୍ଗାଳୀ ମଧ୍ୟବିତ୍ତ ଓ ଜମିଦାର, ଆଧୁନିକ ଶିକ୍ଷାରେ ଶିକ୍ଷିତ ଅଳ୍ପ କେତେଜଣ ଓଡ଼ିଆ ଓ ଓଡ଼ିଶା ଗଡ଼ଜାତର କେତେଜଣ ରାଜା ଏହି ସଙ୍କଟରୁ ଉଦ୍ଧାର ପାଇଁ ମିଳିତ ଉଦ୍ୟମରେ ସଂଘର୍ଷ ଜାରିରଖିଥିଲେ । କଟକରେ ‘କଟକ ପ୍ରିଣ୍ଟିଂ କମ୍ପାନୀ ’ ସ୍ଥାପନ, ‘ଉତ୍କଳ ଦୀପିକା’ ପ୍ରକାଶନ, ଓଡ଼ିଆ ପ୍ରାଚୀନ ସାହିତ୍ୟର ପୁନରୁଦ୍ଧାର ଓ ପାଠ୍ୟପୁସ୍ତକ ପ୍ରଣୟନ ଥିଲା ଏହି ସଂଘର୍ଷର ଗୋଟିଏ ଗୋଟିଏ ସ୍ତର । ବାଲେଶ୍ୱରରେ ଏହି ସଂଘର୍ଷର ଅଗ୍ରନାୟକ ଥିଲେ ଫକୀରମୋହନ । ନିଜର ସୀମାବଦ୍ଧତା ସମ୍ପର୍କରେ ସଚେତନ ଥାଇବି ପାଠ୍ୟପୁସ୍ତକ ପ୍ରଣୟନରେ ସେ ହାତ ଦେଇଥିଲେ । ‘ଜୀବନ ଚରିତ’, ‘ଉତ୍କଳ ସରଳ ବ୍ୟାକରଣ’ ପୁସ୍ତକ କଲିକତାରେ ସେ ମୁଦ୍ରଣ କରିଥିଲେ । ପ୍ରାଚୀନ ସାହିତ୍ୟର ପୁନରୁଦ୍ଧାର ପାଇଁ ଦାମୋଦର ଦାସ ପ୍ରମୁଖଙ୍କ ସହଯୋଗରେ ଗଢ଼ିଥିଲେ ଡି.ପି.ଦାସ ଏଣ୍ଡ କୋ । ଅଳ୍ପଦିନ ପରେ ଫକୀରମୋହନ ଅନୁଭବ କରିଥିଲେ ଯେ, କେବଳ ଘଟକର ଭୂମିକା ନେଲେ ଚଳିବ ନାହିଁ, ତାଙ୍କୁ ସେନାପତିର ଭୂମିକା ନେବାକୁ ପଡ଼ିବ । ତେଣୁ ଅଳ୍ପଦିନ ମଧ୍ୟରେ ମନସ୍ଥିର କରି ସେ ପ୍ରେସ୍ସ୍ଥାପନ ଓ ସମ୍ବାଦପତ୍ର ପରିଚାଳନାର ନେତୃତ୍ୱ ନେଇଥିଲେ । ସମକାଳରେ ଆଉ ଦୁଇଟି ଘଟଣାର ସେ ଥିଲେ ମୁଖ୍ୟବିନ୍ଧାଣୀ । ତାହାହେଉଛି - ବାଲେଶ୍ୱରରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ ଓ ସିଲେଇକଳ ପ୍ରତିଷ୍ଠା । ବାଲେଶ୍ୱର ବାଳିକା ବିଦ୍ୟାଳୟର ପ୍ରଥମ ଛାତ୍ରୀ ଥିଲେ ତାଙ୍କ ବଡ଼ଝିଅ ମହିଳାମଣି । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେପରି ବିଧବା ବିବାହ କେବଳ ପ୍ରଚଳନ କରି ନ ଥିଲେ, ନିଜ ପୁଅକୁ ଜଣେ ବିଧବା ସହିତ ବିବାହ ଦେଇଥିଲେ; ଅନୁରୂପ ଆଦର୍ଶ ଗ୍ରହଣ କରିଥିଲେ ଫକୀରମୋହନ । ପାଠ୍ୟପୁସ୍ତକ ପ୍ରଣୟନ ଆଦି କ୍ଷେତ୍ରରେ ଈଶ୍ୱରଚନ୍ଦ୍ର ମଧ୍ୟ ଥିଲେ ଫକୀରମୋହନଙ୍କ ଆଦର୍ଶ । ସମ୍ବାଦପତ୍ର ସମ୍ପାଦନା ସହିତ ଇତିହାସ, ଅଙ୍କ ସମ୍ପର୍କିତ ପାଠ୍ୟପୁସ୍ତକ ଫକୀରମୋହନ ଲେଖିଥିଲେ । ପ୍ରାଚୀନ ଧରଣର କବିତା ଲେଖୁଥିବା ଓ ବଙ୍ଗଳାଭାଷାରେ ଗଦ୍ୟ ରଚନା କରୁଥିବା ଫକୀରମୋହନ ୧୮୬୬ ପରେ ଆଧୁନିକ କବିତା ଏବଂ ଗଦ୍ୟ ରଚନା କ୍ଷେତ୍ରରେ ନିଜ ଅଲକ୍ଷ୍ୟରେ ପ୍ରବେଶ କରିଯାଇଛନ୍ତି ଏବଂ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଆଧୁନିକ ସମ୍ବାଦପତ୍ର ମାଧ୍ୟମରେ ଓଡି଼ଆ ସାହିତ୍ୟରେ ନୂଆନୂଆ ପ୍ରାରୂପ ଆତ୍ମପ୍ରକାଶ କରିଥିଲା । ସମ୍ବାଦପତ୍ରର ସମ୍ପାଦକମାନେ କେତେବେଳେ ପ୍ରତ୍ୟକ୍ଷରେ ଆଧୁନିକ ସାହିତ୍ୟରଏହି ପ୍ରାରୂପ ଗୁଡ଼ିକର ସୃଷ୍ଟି ଓ ବିକାଶରେ ଅଂଶଗ୍ରହଣ କରିଥିବାବେଳେ ଅନ୍ୟ କେତେବେଳେ ସହଯୋଗୀର ଭୂମିକା ଗ୍ରହଣ କରିଥିଲେ । ଫକୀରମୋହନ ଜଣେ ସାହିତ୍ୟ ଓ ସମ୍ବାଦପତ୍ରର ସମ୍ପାଦକ ଭାବରେ ଉଭୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ପ୍ରବନ୍ଧ, ରମ୍ୟରଚନା, ଗଳ୍ପ, କବିତା ଓ ନୂଆ ଧରଣର ଅନୁବାଦ ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା ପୃଷ୍ଠାରେ ଆତ୍ମପ୍ରକାଶ କରିଥିଲା । ୧୮୭୩ ମସିହାରେ ଫକୀରମୋହନଙ୍କ ପରିଚାଳିତ କମ୍ପାନୀ ଭାଙ୍ଗିଯିବା ପରେ ବାଲେଶ୍ୱର ସମ୍ବାଦବାହିକାର ରୂପ ପରିବର୍ତ୍ତନ ଘଟିଛି ଓ ତା’ର ସମ୍ପାଦକ ହୋଇଛନ୍ତି ଫକୀରମୋହନଙ୍କ ଅଭିନ୍ନ ହୃଦୟ ବନ୍ଧୁ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ । ପରବର୍ତ୍ତୀ କାଳର ସମ୍ବାଦବାହିକାରେ ମଧ୍ୟ ଫକୀରମୋହନ ଅବସର ସମୟରେ ଲେଖିଛନ୍ତି । ତେଣୁ ଆଧୁନିକ ଓଡ଼ିଆ ଗଳ୍ପ, ଭ୍ରମଣକାହାଣୀ, ରମ୍ୟରଚନା, କବିତା ଆଦି ବହୁ ପ୍ରାରୂପର ସେ ହେଉଛନ୍ତି ଆଦିସ୍ରଷ୍ଟା । ଏ ସବୁ ଲେଖକ ଫକୀରମୋହନ ପରବର୍ତ୍ତୀକାଳରେ କଥା ସମ୍ରାଟର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ୧୮୭୮ ମସିହା ବେଳକୁ ଫକୀରମୋହନ ପାରିବାରିକ ଜୀବନରେ ଦୁର୍ଯ୍ୟୋଗର ସମ୍ମୁଖୀନ ହୋଇଛନ୍ତି । ଢେଙ୍କାନାଳରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ବେଳେ ତାଙ୍କ ପ୍ରଥମପୁତ୍ର ମନମୋହନ ଜନ୍ମର ଛଅମାସ ପରେ ସାମାନ୍ୟ ରୋଗରେ ପୀଡ଼ିତ ହୋଇ ଇହଧାମ ତ୍ୟାଗ କରିଛି । ଦ୍ୱିତୀୟ ପତ୍ନୀ କୃଷ୍ଣକୁମାରୀ ପୁତ୍ର ବିଚ୍ଛେଦରେ ପାଗଳିନୀ ପ୍ରାୟ ହୋଇ ଶଯ୍ୟାଗତା ହୋଇଛନ୍ତି । ପତ୍ନୀଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରଚଳିତ ଦାଣ୍ଡିରାମାୟଣ ପାରାୟଣରେ ବିଫଳ ହେବାପରେ ନିଜେ ରାମାୟଣର ଅନୁବାଦ କରି ପାଠକରିଛନ୍ତି ଫକୀରମୋହନ । ତାହାଶୁଣି କୃଷ୍ଣକୁମାରୀ କ୍ରମଶଃ ସ୍ୱାଭାବିକ ହୋଇଛନ୍ତି । ରାମାୟଣ ବାଳକାଣ୍ଡ ଓ ଅଯୋଧ୍ୟାକାଣ୍ଡ ୧୮୭୯ ରୁ ୧୮୮୧ ମସିହା ମଧ୍ୟରେ ନିଜ ଖର୍ଚ୍ଚରେ ଛପାଇ ସେ ବିନାମୂଲ୍ୟରେ ବିତରଣ କରିଛନ୍ତି । ରାମାୟଣ ପରେ ମହାଭାରତ ଓ ହରିବଂଶକୁ ଓଡ଼ିଆରେ ଅନୁବାଦ କରିଛନ୍ତି ସେ । ଏହି ବିପୁଳ କୀର୍ତ୍ତି ତାଙ୍କୁ ଦେଇଛି ‘ବ୍ୟାସକବି’ର ସମ୍ମାନ । ୧୮୯୧ ମସିହା ବେଳକୁ ସେ କବିତା ଓ ଖଣ୍ଡକାବ୍ୟ ରଚନା କ୍ଷେତ୍ରରେ ପ୍ରବେଶ କରିଛନ୍ତି । ‘ପୁଷ୍ପମାଳା’ରେ ସଂକଳିତ କବିତାବଳୀ, ‘ଉତ୍କଳଭ୍ରମଣଂ’ ଖଣ୍ଡକାବ୍ୟ ଏହାରହୋଇଛି ଦୃଷ୍ଟାନ୍ତ । ୧୮୯୪ ମସିହାରେ ସେ ପୁଣି ଏକ ଦୁର୍ଯ୍ୟୋଗର ଶିକାର ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ତାଙ୍କର ଦ୍ୱିତୀୟ ପତ୍ନୀ କୃଷ୍ଣକୁମାରୀଙ୍କର ବିୟୋଗ ଘଟିଛି । ପତ୍ନୀବିୟୋଗ ଫକୀରମୋହନଙ୍କ ପାରିବାରିକ ଜୀବନକୁ କେବଳ ସମସ୍ୟାସଂକୁଳ କରିନାହିଁ; ତାଙ୍କ ହୃଦୟକୁ କରିଛି ବିକ୍ଷୁବ୍ଧ । ସେହି ହୃଦୟାବେଗର ଚିତ୍ର ‘ପୁଷ୍ପମାଳା’ କବିତାସଂଗ୍ରହର ଦୀର୍ଘ ଭୂମିକା ଓ ‘ଉପହାର’ କବିତା ସଂକଳନର ଅନେକ କବିତାରେ ଅଭିବ୍ୟକ୍ତ । ‘ପ୍ରାର୍ଥନା’ କବିତା ପୁସ୍ତିକା, ‘ପୁଷ୍ପମାଳା’, ‘ଉପହାର’ କବିତାସଂଗ୍ରହ ତାଙ୍କୁ ଦେଇଛି କବିର ପ୍ରତିଷ୍ଠା । ୧୮୯୫ ପରେ ଲିଖିତ କବିତାକୁ ସେ ‘ଅବସରବାସରେ’, ‘ପୂଜାଫୁଲ’ ଓ ‘ଧୂଳି’ ଶୀର୍ଷକରେ ୩ଟି କବିତା ସଂକଳନ ପ୍ରକାଶ କରିଛନ୍ତି । ତାଙ୍କର ସଂକଳିତ ହୋଇ ନ ଥିବା କବିତାର ସଂଖ୍ୟା ୭୦ରୁ ଅଧିକ । ଏହା ସହିତ ‘ବୌଦ୍ଧାବତାର କାବ୍ୟ’ ପରି ଏକ ଦୀର୍ଘ ଚରିତ ମୂଳକକାବ୍ୟ ମଧ୍ୟ ରଚନା କରିଛନ୍ତି । କେବଳସଂଖ୍ୟା ଦୃଷ୍ଟିରୁ ନୁହେଁ, ତାଙ୍କ କବିତାର ବିଷୟ ପରିଧି ମଧ୍ୟ ବହୁବିଧ । ବ୍ୟକ୍ତିଗତ ଜୀବନକୁ ନେଇ କବିତା ରଚନା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ସେ ମାର୍ଗ ନିର୍ଦ୍ଦେଶକ । ସେହିପରି ତାଙ୍କ ପୂର୍ବରୁ ଖଣ୍ଡକାବ୍ୟ ରଚନା କରିବାର ପରଂପରା ଥିଲେ ମଧ୍ୟ ‘ଉତ୍କଳଭ୍ରମଣଂ’ରେ ସେ ଲୋକପ୍ରିୟତା ଓ ସିଦ୍ଧିର ଶୀର୍ଷତର ସ୍ପର୍ଶ କରିଛନ୍ତି । କୃଷକର ସମସ୍ୟାଠାରୁ ଆରମ୍ଭ କରି ଦଳିତସମସ୍ୟା ପର୍ଯ୍ୟନ୍ତ ସମକାଳର ବହୁ ସମସ୍ୟାକୁ ଫକୀରମୋହନ କବିତାରେ ରୂପାୟିତ କରିଛନ୍ତି । ଗଭୀର ଈଶ୍ୱରବିଶ୍ୱାସ, ପ୍ରକୃତିପ୍ରେମ, ନାରୀ, ଦଳିତ, ବିଧବା ଆଦି ବଞ୍ଚିତଶ୍ରେଣୀ ସହ ସମାନୁଭୂତି କବିତାଗୁଡ଼ିକରେ ଲିପିବଦ୍ଧ । ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବାର ସ୍ୱାକ୍ଷର ତଥା ଶିଶୁମନସ୍ତତ୍ତ୍ୱକୁ ନେଇ କବିତା ରଚନା ତାଙ୍କ କବିତା ରାଜ୍ୟକୁ କରିଛି ବିଚିତ୍ରବର୍ଣ୍ଣା ।
୧୮୯୭ ମସିହା ଜାନୁଆରୀରୁ ବିଶ୍ୱନାଥ କରଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ‘ଉତ୍କଳସାହିତ୍ୟ’ ମାସିକ ପତ୍ରିକା । ରାଧାନାଥ, ମଧୁସୂଦନ, ଚନ୍ଦ୍ରମୋହନ ମହାରଣା, କୃଷ୍ଣପ୍ରସାଦ ଚୌଧୁରୀଙ୍କ ସହିତ ଫକୀରମୋହନ ଥିଲେ ଏହି ପତ୍ରିକା ପ୍ରକାଶନର ଅନ୍ୟତମ ଉଦ୍ୟୋକ୍ତା । ସେତେବେଳକୁ ଫକୀରମୋହନଙ୍କ ବୃତ୍ତିଗତ ଜୀବନ ପ୍ରାୟତଃ ଶେଷ ହୋଇଆସୁଥିଲା । ତେଣୁ ଆପେକ୍ଷିକ ଭାବରେ ବିଷୟ ଜଞ୍ଜାଳରୁ ସେ ଦୂରରେ ଥିଲେ । ଏହି ଅବକାଶକୁ ସେ ବିନିଯୋଗ କରିଥିଲେ ସାହିତ୍ୟ ରଚନାରେ । ଅନୁବାଦ, କବିତା ଓ ସାମୟିକ ଗଦ୍ୟ ରଚନା ସହିତ ସେ ଉପନ୍ୟାସ ରଚନାରେ ମନୋନିବେଶ କରିଥିଲେ ଓ ୧୮୯୭ ସାଲ ଅକ୍ଟୋବର ‘ଉତ୍କଳସାହିତ୍ୟ’ ପୃଷ୍ଠାରେ କ୍ରମଶଃ ପ୍ରକାଶିତ ହେଲା ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସ । ଏହି ଉପନ୍ୟାସଟି ଫକୀରମୋହନଙ୍କ ଦୀର୍ଘସାହିତ୍ୟିକ ଜୀବନର କ୍ରମପରିଣତି କେବଳ ନଥିଲା, ସେ ସମସ୍ତର ଥିଲା ଏକ ସଂଶ୍ଳେଷ । ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠା କରିଥିଲା ନୂତନ ଚିନ୍ତା, ଭାବନା, ଅଭିବ୍ୟକ୍ତିର ଏକ ନୂତନ ଯୁଗ । ‘ଛ’ମାଣ ଆଠଗୁଣ୍ଠ’ ପରେ ସେ ଲେଖିଥିଲେ ‘ଅପୂର୍ବମିଳନ’ ଉପନ୍ୟାସ । ଏହି ଯୁଗାନ୍ତକାରୀ ସୃଷ୍ଟି ଯେଭଳି ସମକାଳକୁ ହତବାକ୍ କରିଦିଏ , ‘ଛ’ମାଣ ଆଠଗୁଣ୍ଠ’ ତାହା ହିଁ କରିଥିଲା । ସମକାଳର ଦୃଷ୍ଟିଭଙ୍ଗୀ ଓ ଅନ୍ୟାନ୍ୟ ବାଧ୍ୟବାଧକତା ଫକୀରମୋହନଙ୍କୁ ଉପନ୍ୟାସଠାରୁ କିଛିକାଳ ଦୂରେଇ ନେଇଥିଲା । ୧୯୧୧ ମସିହାରେ ଦୁଇବର୍ଷର ଅସୁସ୍ଥତା ପରେ ସେ ସୁସ୍ଥ ହୋଇଛନ୍ତି ଓ ଲେଖିଛନ୍ତି ତାଙ୍କର ଦୀର୍ଘ ଉପନ୍ୟାସ ‘ମାମୁ’ । ୧୯୧୩ ମସିହାରେ ପୁସ୍ତକାରରେ ତାହା ପ୍ରକାଶ ପାଇଛି ଏବଂ ପୂର୍ବରୁ ଲିଖିତ ‘ଅପୂର୍ବମିଳନ’ ଏକ ନୂତନ ଶୀର୍ଷକ ‘ଲଛମା’ ଶିରୋନାମାରେ ପ୍ରକାଶିତ ହୋଇଛି । ‘ମାମୁ’ ଉପନ୍ୟାସର ପ୍ରସିଦ୍ଧି ଓ ଗ୍ରହଣ ଯୋଗ୍ୟତା ତାଙ୍କୁ ଆଉ ଗୋଟିଏ ଉପନ୍ୟାସ ଲେଖିବାକୁ ପ୍ରଲୁବ୍ଧ କରିଛି ଓ ‘ପ୍ରାୟଶ୍ଚିତ୍ତ’ ଶୀର୍ଷକରେ ତାହା ୧୯୧୫ ମସିହାରେ ପ୍ରକାଶ ପାଇଛି । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ସଂଖ୍ୟାରେ ଓ କଳେବରରେ ବୃହତ୍ ନ ହେଲେ ବି ତାହା ଏକ ଦୀର୍ଘ ସମୟ ଓଡ଼ିଶାର ସାମାଜିକ ଚିତ୍ରକୁ କଥାରୂପ ଦେଇଛି । ‘ଲଛମା’ ଉପନ୍ୟାସରେ ୧୭୪୦-୫୦, ‘ଛ’ମାଣ ଆଠଗୁଣ୍ଠ’ରେ ୧୮୩୫-୪୦, ‘ମାମୁ’ ଉପନ୍ୟାସରେ ୧୮୪୫-୭୫ ଓ ‘ପ୍ରାୟଶ୍ଚିତ’ ଉପନ୍ୟାସରେ ୧୯୦୦-୧୯୧୦ କାଳଖଣ୍ଡର ଚିତ୍ର ପ୍ରଦର୍ଶିତ । ତାଙ୍କ ଉପନ୍ୟାସଗୁଡ଼ିକୁ ଘଟଣାବହୁଳ ଉପନ୍ୟାସ ତ କୁହାଯାଇପାରିବ ନାହିଁ; ବାହାରକୁ ମନେ ହେଉଥିଲେ ବି ଚରିତ୍ର ଉପସ୍ଥାପନ ତା’ର ମୂଳଲକ୍ଷ୍ୟ ନୁହେଁ । ପ୍ରତ୍ୟେକ ଉପନ୍ୟାସ କେନ୍ଦ୍ରରେ ରହିଛି ଏକ ସମସ୍ୟା । ସେ ସମସ୍ୟା ସାମାଜିକ ଏବଂ ଅନେକ ସମୟରେ ତାହାର ପରିଣତି ଧ୍ୱଂସାତ୍ମକ । ଏହି ଧ୍ୱଂସାତ୍ମକ ପରିଣତି ପାଇଁ ବୃହତ୍ତର ସମାଜ, ତା’ର ବ୍ୟବସ୍ଥା ଓ ବ୍ୟବସ୍ଥାର କେନ୍ଦ୍ରସ୍ଥଳ ଅଧିକାର କରିଥିବା ମଣିଷମାନେ ହିଁ ଦାୟୀ । ବାହାରକୁ ସରଳ ମନେ ହେଲେହେଁ ଫକୀରମୋହନଙ୍କ ଉପନ୍ୟାସର କାହାଣୀ ଜଟିଳ ଓ ତା’ର ଭାଷା ବ୍ୟଞ୍ଜନାତ୍ମକ । ଫଳରେ ଦୀର୍ଘଏକଶତବର୍ଷ ଅତିକ୍ରମ କରିଥିଲେ ହେଁ ସେଗୁଡ଼ିକ ଏବେ ମଧ୍ୟ ତା’ର ସମକାଳୀନତା ହରାଇ ନାହିଁ ।
ଉପନ୍ୟାସ ସହିତ ଜୀବନର ଉତ୍ତରପର୍ବରେ ଫକୀରମୋହନ କ୍ଷୁଦ୍ରଗଳ୍ପ ରଚନାରେ ହାତ ଦେଇଛନ୍ତି । ତାଙ୍କର ‘ଆତ୍ମଚରିତ’ ଉକ୍ତିକୁ ଯଦି ବିଶ୍ୱାସ କରାଯାଏ, ‘ଲଛମନିଆ’ ତାଙ୍କର ପ୍ରଥମ ଗଳ୍ପ । ସେ ଗଳ୍ପରଚନାରେ ହାତଦେବା ବେଳକୁ କ୍ଷୁଦ୍ରଗଳ୍ପ ନାମକ ସାହିତ୍ୟର ଏକ ପ୍ରାରୂପ ନିର୍ଦ୍ଦିଷ୍ଟରୂପ ଲାଭକରି ନ ଥିଲା । କେତେବେଳେ ତାହା କାହାଣୀ ତ ଅନ୍ୟ କେତେବେଳେ ତାକୁ କୁହାଯାଉଥିଲା କେବଳ ଗଳ୍ପ । ଉପନ୍ୟାସ ଓ ନଭେଲାଠାରୁ ତା’ର ସ୍ୱାତନ୍ତ୍ର କେଉଁଠି, ତାହା ମଧ୍ୟ ସ୍ପଷ୍ଟ ହୋଇ ନ ଥିଲା । ଫକୀରମୋହନ ଓଡ଼ିଆଗଳ୍ପକୁ କାହାଣୀ, ଆଖ୍ୟାନ, ଚୂର୍ଣ୍ଣକ, ମଧ୍ୟଦେଇ ସାର୍ଥକ କ୍ଷୁଦ୍ରଗଳ୍ପ ସ୍ତରରେ ପହଞ୍ଚାଇଛନ୍ତି । ‘ଠକ ଅବଧାନ ବୃତ୍ତାନ୍ତ’ଠାରୁ ‘ରେବତୀ’ ପର୍ଯ୍ୟନ୍ତ ଦୀର୍ଘ ୩୦ ବର୍ଷ ମଧ୍ୟରେ ଗଳ୍ପ ରଚନା ପାଇଁ ନିଜକୁ ଯେପରି ପ୍ରସ୍ତୁତ କରିଥିଲେ, ତା’ର ପରିଣତରୂପ ହେଉଛି ‘ରେବତୀ’ । ‘ରେବତୀ’ ପରେ ଫକୀରମୋହନ ଆହୁରି ୧୯/୨୦ଟି ଗଳ୍ପ ଲେଖିଛନ୍ତି । ତାଙ୍କ ଗଳ୍ପଗୁଡ଼ିକ କେତେବେଳେ ଆତ୍ମଜୀବନୀ ମୂଳକ ହେବାବେଳେ ଅନ୍ୟ କେତେବେଳେ ସମସ୍ୟାମୂଳକ । ତାଙ୍କ ଅନେକ ଗଳ୍ପର ଆବେଦନ ଗଳ୍ପର ପରିସମାପ୍ତିରେ ଥାଏ । ପାଠକକୁ ଚିହ୍ନାବାଟରେ ଚଲଉ ଚଲଉ ତାକୁ ଏପରି ଏକ ପରିଣତିରେ ନେଇ ଉପସ୍ଥିତ କରାନ୍ତି, ଯେଉଁଠି ସେ ଜଟିଳ ଆତ୍ମଦ୍ୱନ୍ଦ୍ୱର ସମ୍ମୁଖୀନ ହୁଏ ଏବଂ ତାହା ପାଠକର କଳ୍ପନା, ସିଦ୍ଧାନ୍ତ ଓ ବିଶ୍ୱାସକୁ ଏକ ଆହ୍ୱାନର ସମ୍ମୁଖୀନ କରାଏ । ରେବତୀ, ରାଣ୍ଡିପୁଅ ଅନନ୍ତା, ପେଟେଣ୍ଟ ମେଡ଼ିସିନି୍ ଆଦି ଗଳ୍ପ ସେଥିପାଇଁ ଏଯାବତ୍ କାଳଜୟୀ ହୋଇରହିଛି । ଫକୀରମୋହନଙ୍କ କଥାସାହିତ୍ୟର ତାତ୍ପର୍ଯ୍ୟ ଅନେକ ସମୟରେ କାହଣୀରେ ନଥାଏ, ଥାଏ ଆମ ଗୋଷ୍ଠୀଗତ ଅବଚେତନରେ । ଆମ ପରିଚିତି ମିଥ୍ସବୁକୁ ଆମ ସାମାଜିକ ଜୀବନ ଭିତରେ ଦେଇ ସେ ପୁନଃନିର୍ମାଣ କରିଛନ୍ତି ।
ଫକୀରମୋହନ ଜୀବନରେ ବହୁବିଧ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ଥିଲେ ବି ଓଡ଼ିଆ ଜାତୀୟ ଜୀବନର ବିକାଶ ଥିଲା ତାଙ୍କର ଧ୍ୟେୟ । ପ୍ରେସ୍ସ୍ଥାପନ ଠାରୁ କଥାସାହିତ୍ୟ ରଚନା ପର୍ଯ୍ୟନ୍ତ ଥିଲା ସେହି ଓଡ଼ିଆ ଜାତିପ୍ରେମର ଗୋଟିଏ ଗୋଟିଏ ଦିଗ । ତାଙ୍କ ଉଦ୍ୟମ ଓ ସହଯୋଗରେ ବାଲେଶ୍ୱରରେ ପ୍ରତିଷ୍ଠିତ ହୋଇଥିଲା ‘National Society’ ଓ କଟକରେ ‘ଉତ୍କଳ ସାହିତ୍ୟ ସମାଜ’ । ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠାମୁହୂର୍ତ୍ତରେ ସେ ତା’ସହିତ ସମ୍ପୃକ୍ତ ରହିଥିଲେ ।
ଫକୀରମୋହନ କେବଳ ସାହିତ୍ୟିକ ନ ଥିଲେ, ଥିଲେ ପ୍ରକୃତ କର୍ମୀଟିଏ । ଦେହାନ୍ତ ବେଳକୁ ସେ ଉଭୟ ‘ଉତ୍କଳ ସାହିତ୍ୟ ସମାଜ’ ଓ ‘ଉତ୍କଳ ସମ୍ମିଳନୀ’ର ଥିଲେ ସଭାପତି । ଜୀବନର ଶେଷ ପର୍ଯ୍ୟାୟରେ ସେ ପରିଣତ ହୋଇଥିଲେ ଓଡ଼ିଆ ଅସ୍ମିତାର ଏକ ପ୍ରତୀକରେ । ତେଣୁ ପରବର୍ତ୍ତୀ ପିଢ଼ିର କବି, ସାହିତ୍ୟିକ, ଦେଶସେବକମାନେ ତାଙ୍କୁ ବାଧ୍ୟ କରିଛନ୍ତି ତାଙ୍କ ଜୀବନକାହାଣୀ ରଚନା ନିମିତ୍ତ ଓ ସେମାନଙ୍କ ଅନୁରୋଧ କ୍ରମେ ସେ ଲେଖିଥିଲେ ‘ମୋ ଜୀବନୀ’। ପତ୍ରିକାରେ ପ୍ରକାଶିତ ହୋଇଥିବା ଅଂଶ କେତେବେଳେ ‘ଆତ୍ମଜୀବନୀ’ ଶୀର୍ଷକରେ ପ୍ରକାଶିତ ହୋଇଛି ତ, ଅନ୍ୟ କେତେବେଳେ ‘ଆତ୍ମଚରିତ’ଶୀର୍ଷକରେ ପ୍ରକାଶ ପାଇଛି । ବିଭିନ୍ନ କାରଣରୁ ମୂଳ ‘ମୋ ଜୀବନୀ’ ପରିପୂର୍ଣ୍ଣରୂପରେ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇପାରିନାହିଁ । କିନ୍ତୁ ଯେଉଁ ଅଂଶ ପ୍ରକାଶିତ, ସେଥିରେ ବ୍ୟକ୍ତି ଫକୀରମୋହନ ସ୍ରଷ୍ଟା ଫକୀରମୋହନଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ । ଏହି ବ୍ୟକ୍ତି ଫକୀରମୋହନଙ୍କ ଜୀବନର ସଂଘର୍ଷ, ପ୍ରତ୍ୟୁତ୍ପନ୍ନମତିତା, ବିପଦକୁ ସମୁଖୀନ ହେବାର ସାମର୍ଥ୍ୟ ଓ ସେ ସବୁକୁ ଏକ ଔପନ୍ୟାସିକର କଳାକୁଶଳତା ନେଇ ପ୍ରକାଶ କ୍ଷମତା ରଖିଥିବା ତାଙ୍କ ଆତ୍ମଜୀବନୀ ଏକ ଅନୁପମ ସାହିତ୍ୟସୃଷ୍ଟି । ଓଡ଼ିଆ ସାହିତ୍ୟର ଓ ଜାତୀୟ ଜୀବନର ସେନାପତି ଫକୀରମୋହନଙ୍କ ୧୪ ଜୁନ୍ ୧୯୧୮ ମସିହାରେ ମହାପ୍ରୟାଣ ଓଡ଼ିଆ ସାହିତ୍ୟ ଓ ଜାତୀୟ ଜୀବନ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି ।


