ରେବତୀ ଫକୀରମୋହନଙ୍କ ସାହିତ୍ୟିକ ଶିଳ୍ପ ଦୃଷ୍ଟିରୁ ପ୍ରଥମ ସାର୍ଥକ ଗଳ୍ପ । ଗଳ୍ପଟିର ପରିଣତି କରୁଣାନ୍ତକ । ସମକାଳରେ ଭାରତୀୟ ସାହିତ୍ୟରେ କଳା ଦୃଷ୍ଟିରୁ ଏହାର ସ୍ୱାତନ୍ତ୍ର୍ୟ ପ୍ରମାଣିତ । ଏକ ନୀରବ ପ୍ରେମର ଫଲ୍ଗୁ ଗଳ୍ପର ଆଦ୍ୟନ୍ତ ପ୍ରବାହିତ । ଏଭଳି ଏକ ଲଳିତ ପ୍ରେମଗଳ୍ପ ସମଗ୍ର ଭାରତୀୟ ସାହିତ୍ୟରେ ଦୁର୍ଲଭ । କୁସଂସ୍କାର ଓ ସମକାଳୀନ ସାମାଜିକ ଅନ୍ଧବିଶ୍ୱାସ କିମ୍ବା ସମାଜରେ ନାରୀଶିକ୍ଷାର ପ୍ରଚାର- ପ୍ରସାର ଉଦ୍ଦେଶ୍ୟରେ ଗଳ୍ପଟି ରଚିତ ନୁହେଁ । ଦୁର୍ଭାଗ୍ୟର ଶିକାର ମଣିଷ କିପରି ଭାଗ୍ୟହସ୍ତରେ କ୍ରୀଡାନକ ହୋଇଯାଏ, ସ୍ୱପ୍ନ ଦେଖୁଥିବା ବୟସରେ ସ୍ୱପ୍ନ ଭାଙ୍ଗି ଜୀବନରେ ଦୁର୍ଯ୍ୟୋଗର ସୂତ୍ରପାତ କରିଥାଏ; ତାର ଏକ କରୁଣାନ୍ତକ ଦୃଶ୍ୟ ଗଳ୍ପଟିରେ ପ୍ରଦର୍ଶିତ । ଜୀବନକୁ ଚିହ୍ନିବାର ଉଦ୍ୟମ କରୁଥିବା ବାଳିକାଟିଏ ବିନା ଅପରାଧରେ ଦୁର୍ଭାଗ୍ୟର ଶିକାର ହୋଇ ବଞ୍ଚିବାର ସର୍ବନିମ୍ନ ମୋହକୁ ବି ପରିତ୍ୟାଗ କରିଦିଏ । ପ୍ରଥମେ ପିତା-ମାତା ଏବଂ ପରେ ନିଜ ପ୍ରେମର ଆରାଧ୍ୟଙ୍କୁ ହରାଇ ଦୁର୍ବିଷହ ଜୀବନ ଭିତରେ ଅସମୟରେ ବୃନ୍ତଚ୍ୟୁତ ହୋଇଯାଏ ରେବତୀନାମ୍ନୀ ବାଳିକାଟିଏ । ଓଡ଼ିଆ ଗଳ୍ପର ଆଦ୍ୟ ପର୍ଯ୍ୟାୟରେ ରଚିତ ଏହି କ୍ଲାସିକ ଗଳ୍ପରେ ମାନବିକ ସମ୍ବେଦନଶୀଳତା ଏବଂ ଭାଗ୍ୟର ନିଷ୍ଠୁରତା କିପରି ଗୋଟିଏ ବିରୋଧାଭାସ ଦେଇ ଗତି କରିଛିି, ତାହା ଜାଣିବା ପାଇଁ ଶୁଣନ୍ତୁ ଫକୀରମୋହନଙ୍କ କ୍ରାନ୍ତିକାରୀ ଗଳ୍ପ “ରେବତୀ” ।
