N Aa
Add to Library  

ସମ୍ଭ୍ରାନ୍ତ ଉଚ୍ଚ-ମଧ୍ୟବିତ୍ତ ଆଧୁନିକ ମଣିଷ ବଂଚିବା ପାଇଁ ଅଭିନୟ କରେ । ପୁଣି ଏ ଅଭିନୟ ଏତେ ନିଖୁଣ ଓ ବାସ୍ତବ ଯେ, ସାଧାରଣ ମଣିଷଟିଏ ଅନୁଭବ କରିପାରେନାହିଁ ସେମାନଙ୍କର ଅନ୍ତର୍ଦାହ ଓ ବିଡ଼ମ୍ବିତ ଜୀବନଚର୍ଯ୍ୟା । ଅର୍ଥର ପ୍ରାଚୁର୍ଯ୍ୟ ଓ ଉପଭୋଗର ବିଳାସ ଭିତରେ ପତି-ପତ୍ନୀଙ୍କର ସମ୍ପର୍କ ଛଳନାରେ ଆବିଳତାପୂର୍ଣ୍ଣ ଓ ନିଦାରୁଣ ଭାବେ ସମ୍ପର୍କହୀନ । ପୁରାତନ ଦାମ୍ପତ୍ୟ ଜୀବନ ଓ ଆଧୁନିକ ଦାମ୍ପତ୍ୟ ଜୀବନ ଭିତରେ ଯୁଗ ଯୁଗର ବ୍ୟବଧାନ । ପାରିବାରିକ ଅଭିଜାତ୍ୟର ପ୍ରଦର୍ଶନ କରିବାକୁ ଯାଇ ଆସନ୍ତି, ଅବ୍ୟକ୍ତ ଯନ୍ତ୍ରଣା ନିଜ ଭିତରେ ଚାପି ଦହନର ଜ୍ୱାଳାରେ ପ୍ରତି ମୁହୂର୍ତ୍ତରେ ହୁଏ ସନ୍ତାପିତ । ରମାପଦ ଚୌଧୁରୀଙ୍କ ପାରିବାରିକ ଜୀବନ ପତ୍ନୀ ଉମାଙ୍କର ପ୍ରତାରଣା ପାଇଁ ପରିଣତ ହୋଇଯାଇଛି କରୁଣ ବିରୋଧାଭାସରେ । ଲୋକଦେଖାଣିଆ ବିବାହ ବାର୍ଷିକୀର ଆଡ଼ମ୍ବର ଭିତରେ କେମିତି କଟିଯାଏ ଏହି ଉଚ୍ଚମଧ୍ୟବିତ୍ତ ମଣିଷର ଦାମ୍ପତ୍ୟ ଜୀବନ । ଏକ ସ୍ଵପ୍ନମୟ, ଆନନ୍ଦମୁଖର ଜୀବନ ଅନ୍ତରାଳରେ ବିବାହ ବାର୍ଷିକୀ ଉତ୍ସବର ଯୋଗ ଦେଇଥିବା ବନ୍ଧୁବାନ୍ଧବମାନେ କ’ଣ ଜାଣିପାରନ୍ତି ସଂଗୁପ୍ତ ସେହି ଅନ୍ତର୍ଦାହକୁ । ଜୀବନ ସ୍ଵପ୍ନ ଓ ସମ୍ଭାବନାରେ ପରିପୂର୍ଣ; ଅର୍ଥର ପ୍ରାଚୁର୍ଯ୍ୟରେ ବିମୋହିତ ବନ୍ଧୁ ଏକ ସୁଖୀ ଦମ୍ପତିଙ୍କ ଉତ୍ସବରେ ଯେଉଁ ଜୀବନକୁ ଅନୁଭବ କରିଥାନ୍ତି, ବାସ୍ତବ ଜୀବନ କିନ୍ତୁ ତାହାଠାରୁ ଅଧିକ ରୁକ୍ଷ ଓ ଦୁର୍ବିସହ । କାହିଁକି ଏମାନଙ୍କୁ ଦୂରରୁ ଦେଖିଲେ ମନେହୁଏ ଗୋଟିଏ ସମ୍ଭ୍ରାନ୍ତ ହୋଟେଲ୍ ରେ ବାସ କରୁଥିବା ଦୁଇଜଣ ଅପରିଚିତ ଯାତ୍ରୀପରି । ଜୀବନର ଶେଷ ମୁହୂର୍ତ୍ତରେ ହଂସ ସଂଗୀତ ଗାନକରେ ଓ ତ’ପରେ ସେ ସବୁଦିନ ପାଇଁ ନିରବି ଯାଏ । ରମାପଦ ଚୌଧୁରୀ ପ୍ରତି ବିବାହ ବାର୍ଷିକୀରେ ଉପହାର ଦେଇଥାନ୍ତି ପତ୍ନୀ ଉମାଙ୍କୁ । ଦୁଇଟି ବିପରୀତମୁଖୀ ଜୀବନ ପରସ୍ପରକୁ ଭେଟନ୍ତି କିପରି ନିଜର ବିଳାସପୂର୍ଣ୍ଣ ପ୍ରାସାଦରେ ? ମଧୁର କଳରବରେ କୂଜନିତ ଜୀବନ କାହିଁକି ହଠାତ୍ ନୀରବତାର ମହାସମାଧିକୁ ବରିନେଲା? ସେଦିନ ବିବାହ ବାର୍ଷିକୀରେ ପତି ରମାପଦ ଚୌଧୁରୀ କ’ଣ ଉପହାର ଦେଇଥିଲେ ପତ୍ନୀ ଉମାଙ୍କୁ? ଏହି ରହସ୍ୟର ପର୍ଦ୍ଦା ଉନ୍ମୋଚନ ନିମିତ୍ତ ଆସନ୍ତୁ ଶୁଣିବା ଅଖିଳମୋହନଙ୍କର ମର୍ମଦାହକ ଗଳ୍ପ “ହଂସ ସଂଗୀତ’ ।

Comments

Rating*

Your email address will not be published. Required fields are marked *