ଊନ୍ନବିଂଶ ଶତାବ୍ଦୀ ଓଡ଼ିଶାରେ କନ୍ୟାସୁନା ପ୍ରଥାର ଯେଉଁ ବୀଭତ୍ସ ପରମ୍ପରା ରହିଥିଲା, ତାର ଏକ ବାସ୍ତବ ଆଲେଖ୍ୟ ହେଉଛି ବୀରେଇ ବିଶାଳ । ସେତେବେଳେ କନ୍ୟାସୁନା ଶ୍ରଦ୍ଧାର ଉପହାର ନଥିଲା । ବରଂ ଥିଲା ଏକ କୁତ୍ସିତ ଯୌତୁକପ୍ରଥା । ସେଥିରେ ବଳି ପଡ଼ିଯାଉଥିଲେ ନିରୀହ ଅର୍ଥହୀନ ଯୁବକଗଣ । ଧନଲୋଭୀ ପିତାମାନେ ଅର୍ଥଲୋଭରେ କନ୍ୟାମାନଙ୍କୁ ବୃଦ୍ଧମାନଙ୍କ ସହିତ ବିବାହ ଦେଉଥିଲେ, ଯାହାର ଦୁଃଖଦ ପରିଣତି ବିଚାରୀ କନ୍ୟାଟିକୁ ଭୋଗିବାକୁ ପଡ଼ୁଥିଲା । ଫକୀରମୋହନଙ୍କ ଦୃଷ୍ଟିରେ ଏହାଥିଲା ଏକ କୁପ୍ରଥା ଓ ଅମାନବିକ ଆଚରଣ । ଏହି ପ୍ରକାର ଚରିତ୍ରମାନଙ୍କୁ ଚରମ ଶାସ୍ତି ଦେବାକୁ ସମ୍ବେଦନଶୀଳ ସମାଜ-ସଚେତନ ସ୍ରଷ୍ଟା ତାଙ୍କ କ୍ଷୁଦ୍ରଗଳ୍ପକୁ ମାଧ୍ୟମ ଭାବରେ ଗ୍ରହଣ କରିଥିଲେ ଏବଂ ସେହି ଉଦ୍ଦେଶ୍ୟରେ ରଚିତ ହୋଇଛି ବୀରେଇ ବିଶାଳ ଗଳ୍ପ । ଅର୍ଥଲୋଭୀ ପିତା ରାଘବପାତ୍ରକୁ ଶିକ୍ଷାଦେବା ଉଦ୍ଦେଶ୍ୟରେ କମଳୀ ଯେଉଁ ଚତୁର ପଦକ୍ଷେପ ଗ୍ରହଣ କରିଛି ଏବଂ ବୀରେଇ ବିଶାଳକୁ ତାର କଷ୍ଟ ଉପାର୍ଜିତ ଅର୍ଥ ଫେରାଇଦେଇ ଯେଉଁ ମାନବିକତାର ପରିଚୟ ଦେଇଛି ସେ ସମ୍ପର୍କରେ ଜାଣିବା ପାଇଁ ଶୁଣନ୍ତୁ ‘ବୀରେଇ ବିଶାଳ‘ ଗଳ୍ପଟି ।
